ରାୟଗଡା: ଜୋର ଧରିଲା ରାୟଗଡାରେ ସୁପର୍ ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ଦାବି । ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର୍ ସ୍ପେଶିଆଲିଷ୍ଟ ହସ୍ପିଟାଲ ସହ ରାୟଗଡା ଜିଲ୍ଲାରେ ଏକ ମେଡିକାଲ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଲା ।
ଦୀର୍ଘ ବର୍ଷ ହେଲା ରାୟଗଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା ସରକାରଙ୍କ ତରଫରୁ କଲେଜ ପ୍ରତିଷ୍ଠା ନେଇ କୌଣସି ଘୋଷଣା ନହେବାରୁ ଜିଲ୍ଲାବାସୀ ନିରାଶ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ । ଲୋକଙ୍କ ସ୍ବାର୍ଥ ଏବଂ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ବାଧ୍ୟ ହୋଇ ୧୦୦ ଘଣ୍ଟା ଅନଶନ କରିବୁ ବୋଲି ମଧ୍ୟ ଶ୍ରୀଦାଶ ପ୍ରକାଶ କରିଛନ୍ତି ।
ରାୟଗଡା ଜିଲ୍ଲା ଏକ ପଛୁଆ ତଥା ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ସ୍ବାସ୍ଥ୍ୟସେବା ପାଇଁ ମୁଖ୍ୟତଃ ରାୟଗଡା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଆସୁଛନ୍ତି । କିନ୍ତୁ ଜିଲ୍ଲା ଗଠନର ୩୦ ବର୍ଷ ହୋଇଯାଇଥିଲେ ସୁଦ୍ଧା ଆଜି ଯାଏଁ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ ହୋଇପାରିନାହିଁ । ଆବଶ୍ୟକୀୟ ଡାକ୍ତର ଓ ଅଭିଜ୍ଞ ଡାକ୍ତର ନଥିବାରୁ ଜିଲ୍ଲାବାସୀ ସ୍ବାସ୍ଥ୍ୟସେବା ପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିଥାନ୍ତି ।
କିନ୍ତୁ ରାୟଗଡା ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଜିଲ୍ଲାରେ ବହୁ ଆଦିବାସୀ ଓ ପଛୁଆବର୍ଗ ଲୋକେ ବସବାସୀ କରିଆସୁଛନ୍ତି । ଜିଲ୍ଲାରେ ବସବାସ କରୁଥିବା ବହୁ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇଁ ବାହାରକୁ ନ ଯାଇପାରି ରୋଗାକ୍ରାନ୍ତ ହୋଇପଡୁଛନ୍ତି ।
ତେଣୁ ରାୟଗଡା ଜିଲ୍ଲାରେ ଯଥାଶୀଘ୍ର ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ମାନ୍ୟତା ସହ ଏକ ମେଡିକାଲ କଲେଜର ପ୍ରତିଷ୍ଠା ପାଇଁ ସରକାର ଘୋଷଣା କରନ୍ତୁ ବୋଲି, ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ ପ୍ରକାଶ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ