ରାୟଗଡା: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାୟଗଡା ଜିଲ୍ଲାରେ ତୃତୀୟ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଚିହ୍ନଟ ଆକ୍ରାନ୍ତ ଜଣେ 27 ବର୍ଷୀୟ ଯୁବତୀ । ଏଥିସହ ରାୟଗଡା ଜିଲ୍ଲା ଗ୍ରୀନ ଜୋନରୁ ଅରେଞ୍ଜ ଜୋନରେ ପହଞ୍ଚିଛି ।
ରବିବାର ରାତିରୁ ରାୟଗଡା ଜିଲ୍ଲାରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ସୋମବାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆନୁଷ୍ଠାନିକ ଭାବେ ଏହାକୁ ଘୋଷଣା କରିଛନ୍ତି । ତେବେ ଚିହ୍ନଟ ଆକ୍ରାନ୍ତ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସଦର ମହକୁମାର ବୋଲି ଜଣାପଡ଼ିଛି । ଜିଲ୍ଲାପାଳଙ୍କ ସୂଚନାମୁତାବକ, ସମ୍ପୃକ୍ତ ଯୁବତୀ ଜଣକ ଗତ ୨୨ ତାରିଖ ଦିଲ୍ଲୀରୁ ଭୁବନେଶ୍ୱର ଆସି ସେଠାରୁ ଏକ ବୋଲୋରୋ ଗାଡିରେ ରାୟଗଡାକୁ ଆସିଥିଲେ । ଏହା ପରେ ସେ ନିଜ ନାଁ ସଙ୍ଗରୋଧ କେନ୍ଦ୍ରରେ ପଞ୍ଜିକରଣ କରି ସାହାଡ଼ା ରୋଡ଼ରେ ସ୍ଥିତ ନିଜ ଘରେ ହୋମ କ୍ୱାରେନଣ୍ଟାଇନରେ ରହିଥିଲେ । ତେବେ ଡାକ୍ତରୀ ଟିମ ଯୁବତୀ ଜଣକ ଉପରେ ତୀକ୍ଷ୍ଣ ନଜର ରଖିଥିଲେ ।
ଗତ ୨୪ ତାରିଖ ଦିନ ଯୁବତୀ ଜଣଙ୍କ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ରବିବାର ରାତିରେ ସ୍ୱାବ ପରୀକ୍ଷା ପଜିଟିଭ ଆସିବା ପରେ ତାଙ୍କୁ ଗଜପତି ଜିଲ୍ଲାର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ବିଷମକଟକ ଅଞ୍ଚଳରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଅପରପକ୍ଷେ ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତ୍ତମାନ ସେ ରହୁଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏଥିସହ ଯେଉଁମାନେ ସମ୍ପୃକ୍ତ ଯୁବତୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ଠିକଣା ଖୋଜା ଚାଲିଛି । ତେଣୁ କୌଣସି ପ୍ରକାରେ ଜିଲ୍ଲାବାସୀଙ୍କୁ ଭୟଭୀତ ନ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ