ରାୟଗଡା: ଲକ୍ଡାଉନ୍ ଓ ସଟ୍ଡାଉନର ସୁଯୋଗ ନେଇ ସକ୍ରିୟ ହେଉଛନ୍ତି ଡକାୟତ । ପୋଲିସ ଖୋଳତାଡ କରି 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏଥିସହ ପୋଲିସ ସେମାନଙ୍କ ଠାରୁ ବିଭିନ୍ନ ସୁନା, ରୁପା ଅଳଙ୍କାର ସାଙ୍ଗକୁ ନଗଦ ଟଙ୍କା ଜବତ କରିଛି ।
ସୂଚନା ଅନୁଯାୟୀ, ଗତ ୩ ତାରିଖ ଶନିବାର ଗୁଣପୁର ଭାରସିଂ ଗାଁର ସାହୁକାର କ୍ରିଷ୍ଣା ରାଓ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ଘଟଣା ଦିନ ତାଙ୍କ ଘରେ କୌଣସି ସଦସ୍ୟ ଉପସ୍ଥିତ ନଥିଲେ । ସୁଯୋଗ ନେଇ କେହି ତାଙ୍କ ଘରେ ଥିବା ନଗଦ ୭ ଲକ୍ଷ ୧୨ ହଜାର ଟଙ୍କା ଓ କିଛି ସୁନାରୂପା ଗହଣା ଧରି ଚମ୍ପଟ୍ ମାରିଥିଲା । ଅଭିଯୋଗକୁ ଭିତ୍ତି କରି ତନାଘନା ଚଳାଇଥିଲା ଗୁଣୁପୁର ପୋଲିସ । ଶେଷରେ ଏହି ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା ଦୁଇ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ।
ପ୍ରଥମେ ଲୁଟ୍ ସହ କୌଣସି ସମ୍ପର୍କ ନଥିବା କହୁଥିବା ଦୁଇ ଅଭିଯୁକ୍ତ, ପରେ ପୋଲିସ ଜେରାରେ ସବୁ ସତ ଓଗାଳିଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ୪ ଟି ସୁନା ମୁଦି, ୩ଟି ସୁନା ଚେନ୍, ୨ଟି ସୁନା କାନଫୁଲ, ୪ ଯୋଡା ରୁପା ପାଉଁଜି, ୨ଟି ମୋବାଇଲ ଓ ନଗଦ ୧ ଲକ୍ଷ ୧୨ ହଜାର ଟଙ୍କା ଜବତ କରିଛି ପୋଲିସ । ପଚରାଉଚରା ପରେ ୨ ଅଭିଯୁକ୍ତ ଭାରସିଂର ବାସିନ୍ଦା ବୋଲି ଜଣାପଡିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ