ରାୟଗଡା: ରେଳପଥରେ ହିଁ ଘରକୁ ଫେରିବାର ଏକ ମାତ୍ର ରାସ୍ତା ଥିବାରୁ ଦୀର୍ଘ ୪ ଦିନ ହେଲା ଚାଲି ଚାଲି ଆନ୍ଧ୍ରପ୍ରଦେଶର କତାୱାଲାସାର କଣ୍ଟାକାପଲ୍ଲିରୁ ଝାଡଖଣ୍ଡର ଦାନ୍ତେୱାଡା ଅଭିମୁଖେ ବାହାରି ଥିଲେ ୧୭ ଜଣ ଶ୍ରମିକ । ୧୬୦ କିମି ରେଳପଥ ଅତିକ୍ରମ କରିବା ପରେ ୧୭ ଶ୍ରମିକଙ୍କୁ ସୋମାବାର ଉଦ୍ଧାର କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ।
ଶ୍ରମିକଙ୍କ କହିବା ଅନୁସାରେ, କତାୱାଲସା ସ୍ଥିତ ସାରଦା ପ୍ଲାଣ୍ଟ ନାମକ ଏକ ଘରୋଇ କମ୍ପାନୀରେ ଠିକା ଶ୍ରମିକ ଭାବେ କାମ କରାଇଲେ । ସେମାନଙ୍କୁ ନେଇଥିବା ଠିକାଦାର ଖାଇବାକୁ କିମ୍ବା ପାରିଶ୍ରମିକ ବାବଦ ଅର୍ଥ ନଦେଇ ଫେରାର ହୋଇଯାଇଥିଲେ । ଫଳରେ ଶ୍ରମିକମାନେ ଖାଇବାକୁ ନ ପାଇ ଦୀର୍ଘ ୫ଦିନ ହେଲା ରେଳ ଟ୍ରାକରେ ଚାଲିଚାଲି ନିଜ ଗାଁ ଝାଡଖଣ୍ଡର ଦାନ୍ତେୱାଡ଼ା ଜିଲ୍ଲା ଫେରୁଥିବା ବେଳେ ସୋମବାର ସେମାନଙ୍କୁ ଉଦ୍ଧାର କରାଯାଇଛି ।
ସେମାନେ କହିଛନ୍ତି ଯେ, ଦିନ ତମାମ ରେଳପଥରେ ଚାଲୁଥିଲୁ, ରାତିରେ ଜଙ୍ଗଲରେ ଶୋଉଥିଲୁ । ପୋଲିସ ଓ କ୍ବାରାଣ୍ଟାଇନ୍ ଭୟରେ ରାଜରାସ୍ତାକୁ ଆସୁନଥିଲୁ ।
ଖବରପାଇ ମାଜିଷ୍ଟେଟ ଦାୟିତ୍ବରେ ଥିବା ତହସିଲଦାର ପହଞ୍ଚି ସମସ୍ତଙ୍କୁ ଅଟକ ରଖିଥିଲେ । ପରେ ରାପିଡ ରେସପନସ୍ ଟିମକୁ ଖବର ଦେବା ପରେ ମଝିଘରିଣୀ ମନ୍ଦିର ନିକଟରେ ପହଞ୍ଚି ଶ୍ରମିକଙ୍କ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରଯାଇଥିଲା । ସେଠାରୁ ସମସ୍ତ ୧୭ ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହି ଶ୍ରମିକମାନଙ୍କୁ କ୍ବାରେନଣ୍ଟାଇନରେ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ମଙ୍ଗଳବାର ଶ୍ରମିକଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯିବ ବୋଲି କହିଛନ୍ତି ରାପିଡ୍ ରେସପନସ୍ ଟିମର ଡାକ୍ତର କଲ୍ଲୋଳ ଦାସ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ