ରାୟଗଡା: ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଟ୍ରେନ୍ ଧକ୍କାରେ ଲେବୁଲ କ୍ରସିଂ ପାର ହେଉଥିବା ୧୬ଟି ଗାଈର ମୃତ୍ୟୁ ହୋଇଛି । ରାୟଗଡା ଷ୍ଟେସନ ଠାରୁ 12 କିମି ଦୂରରେ ଏହି ଅଘଟଣ ଘଟିଥିବା ବେଳେ ଗ୍ରାମବାସୀ ରେଳ ଫାଟକ ନିକଟରେ ପହଞ୍ଚି ଗାଈର ମୃତ ଦେହକୁ ଉଦ୍ଧାର କରିବା ସହ ଗାଡି କେବିନ ଭଙ୍ଗାରୁଜା ସହ କ୍ଷତିପୂରଣ ଦାବି କରିଛନ୍ତି । ଶେଷଖାଲ ପୋଲିସ, ରେଳ ସୁରକ୍ଷା ବଳ, ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି ।
ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ ବଡହଂସା ଗ୍ରାମର 30 ଗାଈ ଚରିବାକୁ ଯାଇ ଗାଁ ଅଭିମୁଖେ ଫେରୁଥିଲେ । କିଛି ଗାଈ ଲେଭଲ୍ କ୍ରସିଂ ପାର ହୋଇ ସାରିଥିବା ବେଳେ କିଛି ଗାଈ ପଛରେ ରହି ଯାଇଥିଲେ । ଏହି ସମୟରେ ବିଶାଖାପାଟଣାରୁ କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍ ଏହି ଲାଇନରେ ଆସୁଥିବା ସୂଚନା ପରେ ରେଳ ଫାଟକ ଜଗୁଆଳି ଗେଟ୍ ପକାଇ ଦେଇଥିଲେ । ଫଳରେ ପଛରେ ଥିବା ୨୦ରୁ ଉର୍ଧ୍ବ ଗାଈ ରେଳ ଲାଇନ୍ ପାର୍ ହୋଇ ପାରିନଥିଲେ । ଟ୍ରେନ୍ ଆସିବା ସମୟ ରାୟଗଡା ଷ୍ଟେସନରେ ସେଣ୍ଟ୍ରାଲ ଲକ ହୋଇ ଯାଇଥିବାରୁ ଜଗୁଆଳି ମଧ୍ୟ ଆଉ ଗେଟ୍ ଖୋଲି ପାରିନଥିଲେ। ଫଳରେ ଫାଟକ ଭିତରେ ରହିଥିବା ଗାଈକୁ ଟ୍ରେନ୍ ଧକ୍କା ଦେଇ ଚାଲି ଯାଇଥିଲା ।
ସୂଚନା ପାଇ ରେଳ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିଛି । ଅଘଟଣ ପରେ ବିଶାଖାପାଟଣା- ରାୟଗଡା ରେଳଲାଇନରେ ରେଳ ଚଳାଚଳ ସ୍ବାଭାବିକ ରହିଛି । ତେବେ ବିଭାଗୀୟ ଅଧିକାରୀ ଘଟଣାର ତଦନ୍ତ କରି ରେଳ ବିଭାଗର ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ