ପୁରୀ: ଆଉ ଦିନ କେଇଟା ପରେ ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନରେ ମାତିବେ ସମସ୍ତେ । ପୁରୀ ସହରକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ମହାପ୍ରଭୁ ଜଗନ୍ନାଥ ଦର୍ଶନ ସହ ସମୁଦ୍ରକୂଳର ମଜା ନେବେ ସଭିଁଏ । ସେଥିପାଇଁ ତ ଦେଶର କୋଣଅନୁକୋଣରୁ ପୁରୀକୁ ଛୁଟିଲାଣି ପର୍ଯ୍ୟଟକଙ୍କ ସୁଅ ।
ପୁରୀର ସମସ୍ତ ହୋଟେଲ ହୋଇସାରିଲାଣି ବୁକ୍ । ତେବେ ନୂତନ ବର୍ଷ ସ୍ବାଗତ କରିବା ପାଇଁ ଆସିଥିବା ପର୍ଯ୍ୟଟକଙ୍କ ଏବେ ମୁଖ୍ୟ ମନୋରଞ୍ଜନ ଓ ସମୟ କାଟିବାର ମାଧ୍ୟମ ହୋଇଛି ପୁରୀ ବେଳାଭୂମି । ଦିନର ଅଧିକାଂଶ ସମୟ ସମୁଦ୍ର ସ୍ନାନର ମଜା ପର୍ଯ୍ୟଟକ ନେଉଛନ୍ତି ।
ସେପଟେ ପର୍ଯ୍ୟଟକଙ୍କ ଜିରୋ ନାଇଟ ସେଲିବ୍ରେସନ ପାଇଁ ପୁରୀର ନାମୀଦାମୀ ହୋଟେଲରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । 31 ଡିସେମ୍ବର ରାତିରେ ବଲିଉଡ ଓ ଓଲିଉଡ ବିଭିନ୍ନ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ମ୍ୟୁଜିକାଲ ନାଇଟ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେହିପରି ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକଙ୍କୁ ଓଡ଼ିଶାର ବିଭିନ୍ନ ସୁସ୍ଵାଦୁ ଖାଦ୍ୟ ପରଷିବା ନେଇ କେତେକ ହୋଟେଲ ପକ୍ଷରୁ ହୋଇଛି ବ୍ୟବସ୍ଥା ।
ଅନ୍ୟପଟେ ପର୍ଯ୍ୟଟକଙ୍କୁ ପୁରୀରେ ସୁଖଦ ଅନୁଭୂତି ଦେବା ପାଇଁ ବଡବଡ ହୋଟେଲ ଗୁଡିକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏପଟେ ପର୍ଯ୍ୟଟକଙ୍କ ଭିଡ଼କୁ ଦେଖି ପୁରୀ ପୋଲିସ ପକ୍ଷରୁ ସାରା ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମୁଦ୍ରକୂଳ ସମେତ ପୁରୀର ପ୍ରମୁଖ ରାସ୍ତାରେ ସିସିଟିଭି ସମେତ 24 ଘଣ୍ଟିଆ ପାଟ୍ରୋଲିଂର ବ୍ୟବସ୍ଥା ହୋଇଛି । ତେବେ ନୂଆବର୍ଷ ଯେତିକି ପାଖଉଛି ଜିରୋ ନାଇଟ ସେଲି ବ୍ରେସନ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ