ପୁରୀ: ବଡଦାଣ୍ଡରେ ଅଭାବନୀୟ ଓ ଅମାନବୀୟ ଦୃଶ୍ୟ। ଜନଗହଳିପୂର୍ଣ୍ଣ ବଡଦାଣ୍ଡରେ ଜଣେ ଯୁବତୀଙ୍କୁ ଗୋଇଠା ପରେ ଗୋଇଠା ଓ ବିଧା ପରେ ବିଧା। ସମସ୍ତେ ଦେଖୁଥିଲେ ମଧ୍ୟ କେହି ଛଡାଇବାକୁ କିମ୍ବା ପ୍ରତିରୋଧ କରିବାକୁ ସାହସ କରୁନଥିଲେ। ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ଦୋଳପୂର୍ଣ୍ଣିମା ଦିନ ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ, ଯୁବତୀ ଆସି ଖାକି ମଠ ନୂଆସାହି ସମ୍ମୁଖ ରାସ୍ତା ଉପରେ ଏକ ଦହିବରା ଦୋକାନରେ ଖାଉଥିଲେ। ସେ ବସିଥିବା ଚେୟାରରୁ ସ୍ବଳ୍ପ ସମୟ ପାଇଁ ଉଠିଥିବା ସମୟରେ ପୁରୀ ସହରର ଜଣେ ମହିଳା ତାଙ୍କ ଝିଅକୁ ଧରି ସେହି ଦୋକାନକୁ ଦହିବରା ଖାଇବାକୁ ଆସିଥିଲେ ।
ତାଙ୍କ ଝିଅ ସେହି ଚେୟାରରେ ବସି ପଡିବାରୁ ଉତକ୍ଷିପ୍ତ ହୋଇ ଯୁବତୀ ଜଣଙ୍କ, କାହିଁକି ମୋ ଚେୟାରରେ ବସିଛୁ କହି ତାକୁ ଚାରି ପାଞ୍ଚ ଶକ୍ତ ଚାପୁଡା ମାରିଥିଲେ । ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଯୁବକ ଓ ବ୍ୟବସାୟୀ ମାନେ ଘେରିଯାଇ ସମ୍ପୃକ୍ତ ଯୁବତୀଙ୍କୁ ତଳେ ପକାଇ ବିଧା ଗୋଇଠା ମାଡ ମାରିଥିଲେ। ତେବେ ପ୍ରଶ୍ନ ଉଠୁଛି ଯୁବତୀ ଜଣଙ୍କ ଯଦି କ୍ରୋଧାନ୍ବିତ ହୋଇ ଅନ୍ୟଜଣେ ଝିଅକୁ ମାଡ ମାରିବା ଭୁଲ୍ ତେବେ ତା ପ୍ରତି ଏଭଳି ଅମାନବୀୟ ଆଚରଣ ପ୍ରଦର୍ଶନ କରିବା କେତେଦୂର ଯୁକ୍ତି ସଙ୍ଗତ।
ସେପଟେ ଏଘଟଣାକୁ ନେଇ ପୋଲିସକୁ ଖବର ମିଳିଥିଲେ ସୁଦ୍ଧା, ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା କୁହାଯାଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ