ପୁରୀ: ଆଜି ହେଉଛି ପବିତ୍ର ଶ୍ରାବଣ ଅମାବାସ୍ୟା ବା ଚିତା ଲାଗି ଅମାବାସ୍ୟା । ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହ ମାନଙ୍କର ମସ୍ତକରୁ ଯେଉଁ ରତ୍ନ ଖଚିତ ଚିତା 'ଉଲାଗି' କରି ଦିଆଯାଇଥାଏ ତାହା ଆଜିର ତିଥିରେ ଲାଗି କରାଯାଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରିଥାନ୍ତି । ହେଲେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ବଡ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ।
ଦେବସ୍ନାନ ପୁର୍ଣ୍ଣମୀ ଦିନ ମହାପ୍ରଭୁ ସ୍ନାନବେଦୀରୁ ଅଣସର ପିଣ୍ଡିକୁ ଫେରିବା ପରେ ଦଇତାପତି ଚିତା ଗୁଡ଼ିକୁ ବାହାର କରି ଦେଉଳକରଣଙ୍କୁ ଦେଇଥାନ୍ତି। ଏଗୁଡିକ ଭଣ୍ଡାର ଘରେ ରଖା ଯାଇଥାଏ। ମହାପ୍ରଭୁଙ୍କ ମସ୍ତକରୁ ଉଲାଗି ହୋଇଥିବା ହୀରା ଖଚିତ ଚିତା ସକାଳ ଧୂପ ଓ ଭୋଗ ମଣ୍ତପ ସରିବା ପରେ ମହାପ୍ରଭୁଙ୍କୁ ପୁନଶ୍ଚ ଲାଗି ହୋଇଥାଏ। ଶ୍ରୀମନ୍ଦିରରେ ସକାଳ ଧୂପ ସମୟରେ ଭଣ୍ତାରମେକାପ ଚିତାଗୁଡ଼ିକୁ ଆଣି ଦେଉଳ କରଣକୁ ଦେଇଥାନ୍ତି। ବଣିଆଙ୍କ ଦ୍ବାରା ଚିତା ଗୁଡ଼ିକ ସଫା କରାଯାଇଥାଏ।
କିମ୍ବଦନ୍ତୀ ଅନୁଯାୟୀ ଯଯାତି କେଶରୀ ଶ୍ରୀବିଗ୍ରହଙ୍କୁ ଆଣିବା ପରେ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ରତ୍ନବେଦୀରେ ସ୍ଥାପନ କରି ଶ୍ରାବଣ ଅମାବାସ୍ୟାରେ ଚିତାଲାଗି କରାଇଥିଲେ। ଏହା ଗୁପ୍ତ ନୀତି ହୋଇ ଥିବା ହେତୁ ଚିତା ଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ସାରିବା ପରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଥାଏ । ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କ ମସ୍ତକରେ ଚିତା ଲାଗି କରିବା ର ପରମ୍ପରା ରହିଛି।
ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପ୍ରସ୍ତୁତ କରି ଏହି ପିଠାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ସମର୍ପଣ କରିଥାନ୍ତି । ଏହାସହ ଠାକୁର ବା ଇଷ୍ଟଦେବତାଙ୍କୁ ଏହି ପିଠା ଭୋଗ କରାଯାଇଥାଏ । ଏହି ସମୟରେ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି ଆଉ ଫସଲ ନଷ୍ଟ କରିଦେଇଥାନ୍ତି । ଚାଷୀ ବିଲରେ କାମ କରୁଥିବା ବେଳେ ତାର ଗୋଡ଼, ଆଣ୍ଠୁ ବା ହାତକୁ କାମୁଡି ପକାଇଥାନ୍ତି । ଫଳରେ ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା କରି ପୋଖରୀ ବା ଚାଷ ଜମିକୁ ଫିଙ୍ଗା ଯାଇଥାଏ । ପିଠା ଖାଇ ଗେଣ୍ଡା ଆଉ କେଉଁଠାକୁ ଚାଲି ଯାଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ଏହାକୁ ‘ଗେଣ୍ଡେଇକଟା ଓଷା’ ବୋଲି ମଧ୍ୟ କୁହାଯାଇଥାଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ