ପୁରୀ: ଆଜି ପବିତ୍ର 'ହେରା ପଞ୍ଚମୀ' । ରଥଯାତ୍ରା ପରଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ 'ହେରା ପଞ୍ଚମୀ' କୁହାଯାଏ । ସନ୍ଧ୍ୟା ଧୂପ ପରେ ରାତି 9 ଟା 35ରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହେବ । ପତ୍ନୀକୁ ଏକାକୀ କରି କାଳିଆ ଦିଅଁ ଭାଇ ଭଉଣୀଙ୍କ ସହ ମାଉସୀ ମା' ମନ୍ଦିରକୁ ଚାଲି ଯାଆନ୍ତି । ବିରହରୂପ ଅଗ୍ନିରେ ପ୍ରଜ୍ବଳିତା, ସ୍ବାମୀର ଅନୁପସ୍ଥିତି ହେତୁ ଦୁଃଖଗ୍ରସ୍ତା, ବିଚ୍ଛେଦକାରୀ ପତ୍ନୀ ଯାହା କରିଥାନ୍ତି । ତାହା ହେଉଛି 'ହେରୀ ପଞ୍ଚମୀ'ର ବିଶେଷତ୍ବ ।
ରଥଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି । ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ କରିଦିଅନ୍ତି । ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୁରରେ ଲକ୍ଷ୍ମୀ ଆଳତି କରନ୍ତି ।
ଏହା ପରେ ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ମହାପ୍ରଭୁ ଦୁଇଦିନ ମଧ୍ୟରେ ଫେରିଯିବାର ପ୍ରତିଶୃତି ଦେଇ ରଥ ଦକ୍ଷିଣ ମୋଡ଼ କରିବା ନିମନ୍ତେ ବରାଦ କରିଥାନ୍ତି । କିନ୍ତୁ ସେହି ସମୟକୁ ସନ୍ଧ୍ୟାଧୂପର ସମୟ ହୋଇଯାଇଥିବାରୁ, ଦେବୀଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଆଉ ଅଧିକ ସମୟ ଦର୍ଶନ କରିବାର ସୁଯୋଗ ପାଆନ୍ତି ନାହିଁ । ସେଥିରେ ରୋଷ ହୋଇ ଦେବୀ ନନ୍ଦିଘୋଷ ରଥରୁ ଖଣ୍ଡିଏ କାଠ ଭାଙ୍ଗି ଦେଇ ଚାଲିଆସନ୍ତି ।
କିନ୍ତୁ ଫେରିବାବେଳେ ସେ ହେରାଗୋହିରୀ ସାହି ବାଟରେ ଫେରନ୍ତି । ରଥକାଠ ଭାଙ୍ଗିବା କାର୍ଯ୍ୟ ଠିକ୍ ହୋଇନାହିଁ ବୋଲି ଜଗଜ୍ଜନନୀଙ୍କର ହୃଦ୍ବୋଧ ହେବା ପରେ ସେ ନିଜକୁ ଅପରାଧୀମନେ କରି ହେରାଗୋହିରୀ ସାହି ବାଟ ଦେଇ ଲୁଚିଲା ପରି ବିନା ଘଣ୍ଟ, କାହାଳୀ, ବାଜାରେ ଶ୍ରୀମନ୍ଦିର ଫେରନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ