ପୁରୀ: ପୁରୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ମଙ୍ଗଳବାର 2ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । 2 ଅଭିଯୁକ୍ତ ହେଲେ ଜିତେନ୍ଦ୍ର ସେଠୀ ଓ ତାର ସହଯୋଗୀ ରାଜେଶ ସେଠୀ । ଏହି ଦୁଇ ଅଭିଯୁକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପ୍ରକାଶ କରିଛି।
ଏହି ଘଟଣାରେ ଗିରଫଦାରୀଙ୍କ ନାଁରେ 376 ଦଫା ଓ ପୋକସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସେପଟେ ଉକ୍ତ ଘଟଣାରେ ଅନ୍ୟ 2ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ତେବେ ଅଭିଯୁକ୍ତ ଜିତେନ୍ଦ୍ର ପୋଲିସ ବିଭାଗରେ ଏବେ କର୍ମଚାରୀ ନାହାଁନ୍ତି । ତାଙ୍କୁ ପୂର୍ବରୁ ଏକ ଘଟଣାକୁ ନେଇ ଚାକିରୀରୁ ବହିଷ୍କୃତ କରାଯାଇଥିଲା । ସେହିପରି ପୋଲିସ ଚାକିରୀରେ ନଥିବା ସତ୍ତ୍ବେ ଜିତେନ୍ଦ୍ର ସେଠୀ ପୋଲିସ ପରିଚୟ ପତ୍ର ବ୍ୟବହାର କରିଥିବା ଯୋଗୁଁ ଜିତେନ୍ଦ୍ର ନାଁରେ ଆଉ ଏକ ମାମଲା ରୁଜୁ କରିଛି ପୋଲିସ।
ତେବେ ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ପୁରୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେଇ ସମସ୍ତ ପ୍ରମାଣ ହାସଲ କରିଥିବା କେନ୍ଦ୍ରାଞ୍ଚଳ ଡିଆଇଜି ପ୍ରକାଶ କରିଛନ୍ତି । ଅନ୍ୟପଟେ ପୀଡିତାଙ୍କୁ ସମସ୍ତ ସହାୟତା ସରକାରୀ ନିୟମ ଅନୁଯାୟୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପୋଲିସ ପ୍ରକାଶ କରିଛି। ଘଟଣାର ତଦନ୍ତ ଏବେବି ଚାଲିଛି। ତୁରନ୍ତ ପୋଲିସ କୋର୍ଟରେ ସବୁ ପ୍ରମାଣ ଉପସ୍ଥାପନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ