ପୁରୀ: ମହାପ୍ରଭୁଙ୍କ ଅଣସର ତୃତୀୟ ଦିବସ । ରବିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ଦିବସର ତୃତୀୟ ଦିନ । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଫିଟା ଯାଇଛି । ଏହାକୁ ଶ୍ରୀଅଙ୍ଗ ଫିଟା ନୀତି ବୋଲି କୁହାଯାଏ । ସ୍ନାନଯାତ୍ରାରେ ମହାପ୍ରଭୁ 108 ଗରା ସୁବାସିତ ଜଳରେ ସ୍ନାନ ପରେ ଓଦା ଥିବା ବସ୍ତ୍ର ଆଜି କଢାଯାଇଛି। ଦଇତାପତି ସେବକମାନେ ଅଣସର ପିଣ୍ଡିରେ ଏହି ନୀତି ସମ୍ପାଦନ କରିଛନ୍ତି ।
ଅଣସରରେ ମହାପ୍ରଭୁଙ୍କ ନିକଟରେ କ୍ଷୀର, ସର , ଛେନା , ପଣା ଭୋଗ କରାଯାଇଛି । ଏହାକୁ ଅଣସର ପଣା କୁହାଯାଏ । ଅନ୍ନ ପ୍ରସାଦ ଭୋଗ ପଟି ଦିଅଁଙ୍କ ନିକଟରେ ଲାଗିଛି। ତେବେ ଅଣସରର ଘନ ଅନ୍ଧାକାର ଗୁପ୍ତ ଘରେ ମହାପ୍ରଭୁଙ୍କ ଗୁପ୍ତ ଜ୍ବରର ଚିକିତ୍ସା ଦଇତାପତି ସେବକ ମାନେ କରୁଛନ୍ତି। ଏହି ଅଣସର ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଉପଶମ ପାଇଁ ଫୁଲୁରି ତେଲ ଲାଗି ହୋଇଥାଏ । ସେହିପରି ଶରୀରର ଉପଚାର ପାଇଁ ଓଷ ଲାଗି , ଦଶମୀରେ ଚକା ବିଜେ , ପରେ ରକ୍ତବସ୍ତ୍ର ଲାଗି, ସର୍ବାଙ୍ଗ ଲାଗି ଏବଂ ଘଣା ଲାଗି ହୋଇ ଥାଏ ।
ଜୁନ୍ ୨୧ତାରିଖ ଅମାବାସ୍ୟା ତିଥିରେ ଦାରୁବ୍ରହ୍ମଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ୨୩ ତାରିଖରେ ଶ୍ରୀଜଗନ୍ନାଥ ନବ ଦିନବ୍ୟାପୀ ରଥଯାତ୍ରା । ଶ୍ରୀଗୁଣ୍ଡିଚା ଅଭିମୁଖେ ଆରମ୍ଭ ହେବ ଜଗତର ନାଥ ଜଗନ୍ନାଥଙ୍କ ଦକ୍ଷିଣାଭିମୁଖୀ ଯାତ୍ରା ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ