ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ପଡିଲା ରକ୍ତର ଛିଟା । ସାମାନ୍ୟ ବଚସାରୁ ହେଲା ଖଣ୍ଡଯୁଦ୍ଧ। ଜଣେ ଜେଟିପିଙ୍କ କାଠଫାଳିଆ ଆକ୍ରମଣରେ ଅନ୍ୟ ଜଣେ ଜେଟିପି ଗୁରୁତର। ଭିତରକାଠ ନିକଟରେ ଡ୍ଯୁଟି କରୁଥିବା ସମୟରେ 2ଜଣ ଜେଟିପିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହେବାରୁ ଏଥିରେ ଜଣେ ଉତକ୍ଷିପ୍ତ ହୋଇ ସେଠାରେ ପଡିଥିବା କାଠଫାଳିଆରେ ଅନ୍ଯ ଜଣଙ୍କୁ ଆକ୍ରମଣ କରିଥିଲା । ଫଳରେ ଏଥିରେ ଜଣେ ଜେଟିପିଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିବାରୁ ତାଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଭିତରକାଠ ନିକଟରେ ରକ୍ତର ଛିଟା ପଡିଥିବାରୁ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି କରାଯାଇଛି । ଦିନ ୧ଟା ୫୦ମିନିଟରେ ଘଟିଥିଲା ଏହି ଅଘଟଣ। ଆହତ ଜେଟିପି ମନୋଜ ପାଣିଗ୍ରାହୀ ବୋଲି ଜଣାପଡିଛି। ତେବେ ଏପର୍ଯ୍ୟନ୍ତ ସିଂହଦ୍ଵାର ଥାନାରେ ଏନେଇ କେହି ଅଭିଯୋଗ କରିନଥିବା ଜଣା ପଡିଛି । ସେପଟେ ଆକ୍ରମଣ କରିଥିବା ଗଙ୍ଗା ପ୍ରଧାନ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ତେବେ ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ଭିତରକାଠ ନିକଟରେ ଅର୍ଥାତ ମହାପ୍ରଭୁଙ୍କ ସମ୍ମୁଖରେ ଦୁଇଜଣ ଜେଟିପିଙ୍କ ମଧ୍ୟରେ କିଭଳି ରକ୍ତାକ୍ତ ସଂଘର୍ଷ ଘଟିଲା ତାହା ସମସ୍ତଙ୍କୁ ବିବ୍ରତ କରିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ