ପୁରୀ: ଆସୁଛି ପାର୍ବଣ ଋତୁ । ଧରାପୃଷ୍ଠକୁ ଆସିବେ ମା' । ତେବେ ପୂର୍ବବର୍ଷ ଗୁଡିକ ତୁଳନାରେ ଚଳିତ ବର୍ଷ ପୂଜାରେ ଅନେକ କଟକଣା ଜାରି ହୋଇଛି । ଏପରିକି ମା' ଙ୍କ ମୂଣ୍ମୟୀ ମୂର୍ତ୍ତୀର ଉଚ୍ଚତା 4 ଫୁଟରୁ ଅଧିକ ହେବ ନାହିଁ ବୋଲି ସରକାରୀ ନିର୍ଦ୍ଦେଶ ରହିଛି ।
କୋରୋନା ସଂକ୍ରମଣର ଭୟକୁ ଦୃଷ୍ଟିରେ ରଖି, ପୂଜା ମଣ୍ଡପ ଗୁଡିକରେ ଅନେକ ଗାଇଡଲାଇନ ଜାରି କରାଯାଇଛି । ପୂଜା ସ୍ଥାନରେ ଉଚ୍ଚସ୍ବରରେ ଶବ୍ଦ, ମଣ୍ଡପରେ 7ଜଣରୁ ଉର୍ଦ୍ଧ୍ବ ଲୋକଙ୍କୁ ବାରଣ କରାଯାଇଛି । ତେବେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜିଲ୍ଲାର ବିଭିନ୍ନ ପୂଜାମଣ୍ଡପର କର୍ମକର୍ତ୍ତା ।
ଶହ ଶହ ବର୍ଷ ଧରି ପୁରୀରେ ହେଉଥିବା ଗୋଶାଣୀ ପୂଜାର ପରମ୍ପରା ଭଙ୍ଗ ହେବା ନେଇ ଆଶଙ୍କା ଦେଖା ହୋଇଛି । କାରଣ ପୁରୀରେ ବିଶାଳ ଗୋଶାଣୀ ମୂର୍ତ୍ତୀ ପୂଜା ପରମ୍ପରା ବେଶ ପ୍ରାଚୀନ । ରାଜ୍ୟ ସରକାର ମୂର୍ତ୍ତୀ ନିର୍ମାଣ କଟକଣା କୋହଳ କରିବାକୁ ପୂଜା ମଣ୍ଡପ କର୍ମକର୍ତ୍ତା ଅନୁରୋଧ କରିଛନ୍ତି ।
ଅନ୍ୟପଟେ ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତି ପୀଠ ଗୁଡ଼ିକରେ ଷୋଡଶ ଉପଚାର ପୂଜା ପରମ୍ପରା ଅନୁଯାୟୀ ଚାଲୁ ରହିଛି । ଶାରଦୀୟ ଦୁର୍ଗା ପୂଜାକୁ ଶ୍ରୀକ୍ଷେତ୍ର ପୁରୀରେ ଗୋଶାଣୀ ପୂଜା ଭାବେ ପାଳନ କରାଯାଏ । ବିଶେଷ କରି ବିଶାଳ ଗୋଶାଣୀ ମୂର୍ତ୍ତୀ ମୁଖ୍ୟ ଆକର୍ଷଣ ହୋଇଥାଏ । । କିନ୍ତୁ ରାଜ୍ୟ ସରକାର ଚଳିତ ଦୁର୍ଗା ପୂଜା ଆୟୋଜନ ନେଇ କୋଭିଡ ଗାଇଡ଼ଲାଇନ ଦେବା ପରେ ଏହି ପରମ୍ପରା ଭଙ୍ଗ ହେବା ନେଇ ଆଶଙ୍କା ରହିଛି ।
ବିଶେଷ କରି ଏହି ଗାଇଡ଼ଲାଇନରେ ଥିବା 4 ଫୁଟ ମୂର୍ତ୍ତି ନିର୍ମାଣ ସର୍ତ୍ତ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ଚିନ୍ତା ବଢ଼େଇ ଦେଇଛି । କାରଣ ଶହ ଶହ ବର୍ଷ ଧରି ବିଶାଳ ଗୋଶାଣୀ ମୂର୍ତ୍ତୀ ପୂଜା ହୋଇ ଆସୁଥିବା ବେଳେ ଅଳଙ୍କାର ଠାରୁ ଆରମ୍ଭ କରି ସବୁ ସାଜ ସଜା ବଡ଼ ମୂର୍ତ୍ତି ପାଇଁ ରହିଛି । ଏଣୁ 4ଫୁଟର ମୂର୍ତ୍ତି ହେଲେ ଶହ ଶହ ବର୍ଷର ପରମ୍ପରା ଭଙ୍ଗ ହେବା ସହ ପୂର୍ବରୁ ମୂର୍ତ୍ତି ପାଇଁ ତିଆରି ହୋଇଥିବା ଅଳଙ୍କାର ଛୋଟ ମୂର୍ତ୍ତିରେ କିଭଳି ବ୍ୟବହାର କରିବେ ସେ ନେଇ ପ୍ରଶ୍ନ ଉଠିଛି ।
ତେବେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନି ସବୁ ପୂଜା ମଣ୍ଡପ କର୍ମକର୍ତ୍ତା ପୂଜା କରିବେ ବୋଲି କହିଥିବା ବେଳେ ମୂର୍ତ୍ତୀ ନିର୍ମାଣ କଟକଣା କୋହଳ କରିବାକୁ ଅନୁରୋଧ କରିଛନ୍ତି । ସମାଜ ସୁରକ୍ଷା ଓ ଭଲ ପାଇଁ ରାଜ୍ୟ ସରକାର କଟକଣା କରିଛନ୍ତି । ଏଣୁ ସମସ୍ତେ ନିୟମ ପାଳନ ସହ ପୂଜା କରିବାକୁ ଉପ-ଜିଲ୍ଲାପାଳ ଭବତାରଣ ସାହୁ ଅନୁରୋଧ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ