ପୁରୀ: ନାବାଳିକାଙ୍କ ଘରେ ଭଡା ରହୁଥିବା ଭଡାଟିଆଙ୍କୁ ଘରଭଡା ମାଗିବାରୁ ଛୁରୀରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ପୁରୀ ମଙ୍ଗଳାଘାଟ ନୂଆସାହିର ସ୍ବର୍ଗତ ନାରାୟଣ ନାୟକଙ୍କ ଘରେ ଗତ ୩ ମାସ ହେବ ମୁନା ପ୍ରଧାନଙ୍କ ପୁଅ ବଣ୍ଟି ପ୍ରଧାନ ଓ ବବୁଲ ପ୍ରଧାନ ଭଡା ରହୁଥିଲେ। ତେବେ ସ୍ବର୍ଗତ ନାରାୟଣଙ୍କ ପତ୍ନୀ ସେମାନଙ୍କୁ ୩ ମାସର ଘରଭଡା ମାଗିଥିଲେ। କିନ୍ତୁ ଦୁଇ ଭାଇ ଘର ଭଡା ଦେବା ବଦଳରେ ଘର ମାଲିକଙ୍କୁ ଭଡା ଦେବେ ନାହିଁ ବୋଲି କହିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ।
ତେବେ ବୁଧବାର ସକାଳ ସମୟରେ ଘର ମାଲିକଙ୍କ ନାବାଳିକା ଝିଅ ମଙ୍ଗଳାଘାଟ ଛକକୁ ଜଳଖିଆ କିଣିବା ପାଇଁ ଆସିଥିବା ବେଳେ ବଣ୍ଟି ଓ ବବୁଲ ଦୁଇ ଭାଇ ତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଏନେଇ ବାସେଳୀ ସାହି ଥାନାରେ ଅଭିଯୋଗ ହେବା ପରେ ଥାନା ଆଇଆଇସି ହସପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ