ପୁରୀ: ଅନାଥ ପିଲାଙ୍କୁ ମିଳିଳା ସହାୟତାର ହାତ । ପୁରୀ ତାଳବଣିଆସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ରହୁଥିବା ପ୍ରଭାତୀ ଦାସଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି ।
ପ୍ରଭାତୀଙ୍କ ଭିନ୍ନକ୍ଷମ ପୁଅର ଗତ ଅଗଷ୍ଟ ମାସରେ ମୃତ୍ୟୁ ହୋଇଥିଲା । ଗତ ମେ ମାସ ୭ ତାରିଖରେ ତାଙ୍କ ବୋହୂ କୋରୋନାରେ ପ୍ରାଣ ହରାଇଥିଲେ । ଫଳରେ ଅନାଥ ୧୨ ଓ ୧୦ ବର୍ଷ ବୟସର ଦୁଇ ନାତୁଣୀ ଓ ୪ ବର୍ଷର ନାତିଙ୍କ ଦାୟିତ୍ବ ଏବେ ପ୍ରଭାତୀଙ୍କ ଉପରେ ରହିଛି । ଏହି ଘଟଣା ଜଣାପଡିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାର ଯାଞ୍ଚ କରି ତୁରନ୍ତ ସହାୟତା ପ୍ରଦାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ସରକାରଙ୍କ ଯୋଜନା ଅନୁଯାୟୀ ଉକ୍ତ ଶିଶୁମାନଙ୍କୁ ସହାୟତା ପ୍ରଦାନ କରାଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆପଦକାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଶକ୍ତିପାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉ କି, ଗତକାଲି ପିତୃ ଦିବସ ଅବସରରେ ରାଜ୍ୟ ସରକାର ଅନାଥଙ୍କ ପାଇଁ ଆଶୀର୍ବାଦ ଯୋଜନାର ଶୁଭାରମ୍ଭ କରିଛନ୍ତି । ବାପା ମାଆଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ସାହାଯ୍ୟ ଓ ସହଯୋଗ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଅନାଥ ପିଲାମାନଙ୍କ ପାଠପଢା ସହ ଭରଣପୋଷଣ ଦାୟିତ୍ବ ନେବେ ସରକାର ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ