ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ର ମରାମତି କିଭଳି ସୁରୁଖୁରୁରେ ଏବଂ ଶୀଘ୍ର ହୋଇପାରିବ ସେନେଇ ଏକ ସମୀକ୍ଷା ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକରେ ଆମିକସ୍ କ୍ୟୁରୀ ଏନ୍. କେ. ମହାନ୍ତି, ଏଏସଆଇ ସୁପରିଟେଣ୍ଡଣ୍ଟ ଡି.ବି. ଗଡନାୟକ, ଶ୍ରୀମନ୍ଦିର ବୈଷୟିକ ଟିମର ମୁଖ୍ୟ ଇଞ୍ଜିନିୟର ଏନ.ସି. ପାଲ୍ ଏବଂ ପରିଚାଳନା କମିଟି ସେବାୟତ ସଦସ୍ୟ ଉପସ୍ଥିତ ଥିଲେ । ଶ୍ରୀଜୀଉଙ୍କ ଆସନ୍ତା ସ୍ନାନଯାତ୍ରା ପୂର୍ବରୁ ନାଟମଣ୍ଡପ ବିମକୁ କିଭଳି ଶୀଘ୍ର ବଦଳାଯାଇ ପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି ।
ଆମିକସ୍ କ୍ୟୁରୀ ଏନ. କେ. ମହାନ୍ତିଙ୍କ ସୂଚନା ଅନୁସାରେ, କେଉଁ ଶୈଳୀରେ ନାଟମଣ୍ଡପ ବିମ୍ ମରାମତି କରାଯିବ, ତାହାର ଏକ ଡିଜାଇନ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ASI) ପକ୍ଷରୁ ପ୍ରଦାନ କରାଯାଇଛି । ଏହାକୁ ସବୁ ଦିଗରୁ ତର୍ଜମା କରାଯାଉଛି । ବିଶେଷକରି ନାଟମଣ୍ଡପ ବିମ୍ ମରାମତି ସମୟରେ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି ଏବଂ ଦର୍ଶନାର୍ଥୀଙ୍କର ଯେଭଳି ସମସ୍ୟା ନ ହୁଏ ତାହା ଉପରେ ଗୁରୁତ୍ବ ଦିଆଯାଇଛି । କେଉଁ ସ୍ଥାନରେ ମରାମତି ପାଇଁ ଭାରା ବନ୍ଧାଯିବ, କେତେ ଲୋଡ୍ ଦିଆଯିବ ସେନେଇ ଗତକାଲି (ବୁଧବାର) ଶ୍ରୀମନ୍ଦିରକୁ ଯାଇ ଅନୁଧ୍ୟାନ କରିଛନ୍ତି ଆମିକସ୍ କ୍ୟୁରୀ ଓ ଏଏସଆଇ ସୁପରିଟେଣ୍ଡଣ୍ଟ । ସମସ୍ତ ବିକଳ୍ପକୁ ଦେଖାଯାଇ ନାଟମଣ୍ଡପ ବିମ୍ର ମରାମତି ଭଲରେ କିଭଳି ହୋଇପାରିବ ତାହାର ଅନୁଧ୍ୟାନ କରାଯାଉଥିବା ବେଳେ ଆଉ ଏକ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।
ଏହା ମଧ୍ୟ ପଢନ୍ତୁ: ରତ୍ନଭଣ୍ଡାର ଲେଜର ସ୍କାନିଂ ଶେଷ, ଶ୍ରୀମନ୍ଦିର ପ୍ରଶାସନ ଓ ASI ମଧ୍ୟରେ ବସିଲା ବୈଠକ
ଗତ କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେତୁ ନାଟମଣ୍ଡପ ମରାମତି କାର୍ଯ୍ୟରେ ବହୁ ବିଳମ୍ବ ହୋଇଥିଲା । ଆସନ୍ତା ନୂଆବର୍ଷ ପରଠାରୁ ନାଟମଣ୍ଡପ ବିମ୍ ମରାମତି କାର୍ଯ୍ୟ ଜୋରସୋରରେ କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । ଏଥିସହ ରତ୍ନଭଣ୍ଡାର ବାହାର ପାର୍ଶ୍ବରେ କରାଯାଇଥିବା ଲେଜର ସ୍କାନିଂ ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନଥିବା ଏଏସଆଇ କହିଛି । ତେବେ ନାଟମଣ୍ଡପ ବିମ୍ ମରାମତି କାର୍ଯ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହାକୁ କିଭଳି ଯଥାଶୀଘ୍ର ସମୟ ଅନୁଯାୟୀ ଶେଷ କରାଯାଇ ପାରିବ ସେ ଦିଗରେ ପ୍ରାଥମିକତା ଦିଆଯାଉଛି ବୋଲି ଏଏସଆଇ ସୁପରିଟେଣ୍ଡଣ୍ଟ କହିଛନ୍ତି ।
ଇଟିଭି ଭାରତ, ପୁରୀ