ପୁରୀ: ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ଅଭିଯୋଗ ଆଣିଲା ଶ୍ରୀଜଗନ୍ନାଥ ସେନା । ଉଭୟ କୋଭିଡ ପଜିଟିଭ ଥିବା ସତ୍ତ୍ବେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହୋଇଥିଲେ । ଉଭୟ ଆଇନ ରକ୍ଷକ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ପୁରୀ ଏସପିଙ୍କ ନିକଟରେ ବିଧାନସଭା କୋଭିଡ ପରୀକ୍ଷା ରିପୋର୍ଟ, ଫଟୋଚିତ୍ର ପ୍ରମାଣ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାଖଲ କରାଯାଇଛି ।
ସୋମବାର ସେନା ପକ୍ଷରୁ ଏନେଇ ସମୁଦ୍ରକୂଳ ଥାନାରେ ବି ଅଭିଯୋଗ କରାଯାଇଥିଲା । ଆଜି ପୁନର୍ବାର ପୁରୀ ଏସପିଙ୍କ ନିକଟରେ ଏହି ଅଭିଯୋଗ ହୋଇଛି । ଉଭୟଙ୍କ ବିରୋଧରେ ସଂକ୍ରାମକ ନିରୋଧ ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ତେବେ ଅତିରିକ୍ତ ଏସପି ଅରୁଣ କୁମାର ଜେନା ଅଭିଯୋଗ ଗ୍ରହଣ କରି ଏ ସମ୍ପର୍କରେ ଏସପିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ପ୍ରକାଶ ଥାଉ କି, ବିଧାନସଭାରେ ଗତ ମାସ ୨୭ ତାରିଖରେ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ରିପୋର୍ଟରେ ଉଭୟ ସମୀର ଦାଶ ଓ ଉମା ସାମନ୍ତରାୟ କୋଭିଡ ପଜିଟିଭ ଜଣାପଡିଥିଲେ । ହେଲେ ଉଭୟ ପଜିଟିଭ ସତ୍ତ୍ୱେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ରବିବାର ଦିନ ଯୋଗ ଦେଇଥିଲେ । ତେବେ ଏନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଡିଜିପିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି । ଯେଉଁଥିରେ ଉଭୟ ମନ୍ତ୍ରୀ ଓ ବିଧାୟକ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଉଲ୍ଲେଖ ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ