ପୁରୀ: ଶ୍ରୀମନ୍ଦିର ମନ୍ଦିର ରତ୍ନଭଣ୍ଡାର ତଥ୍ୟ ଦେବାକୁ ନେଇ ପୁଣି ଶ୍ରୀମନ୍ଦିର ପ୍ରଶାସନ ଏବେ ଚର୍ଚ୍ଚାରେ । ରତ୍ନଭଣ୍ଡାର ଚାବି ହଜିବା ନେଇ ଘଟଣାର ତଦନ୍ତ ପାଇଁ ବସିଥିବା ଜଷ୍ଟିସ ରଘୁବୀର ଦାସ କମିଶନକୁ କଣ ତଥ୍ୟ ଦିଆଯାଇଛି, ସେନେଇ ସୂଚନା ଅଧିକାର ଆବେଦନରେ ଶ୍ରୀମନ୍ଦିର ପ୍ରଶାସନ ଅଜବ ଉତ୍ତର ଦେଇଛି । ଶ୍ରୀମନ୍ଦିର ପ୍ରଶାସନ କହିଛି, ଏନେଇ କୌଣସି ତଥ୍ୟ ନାହିଁ । ଯାହାକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି ।
ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳ କହିଛନ୍ତି, "ଶ୍ରୀମନ୍ଦିର ପ୍ରଶାସନ ହେଉଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନିକ କର୍ତ୍ତୃପକ୍ଷ । ଶ୍ରୀମନ୍ଦିରରେ ଯାହା ହୁଏ, ସମସ୍ତ ରେକର୍ଡ ଶ୍ରୀମନ୍ଦିର ପ୍ରଶାସନ ରଖିଥାଏ । ଏଣୁ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ଚାବି ସମ୍ପର୍କିତ ସମସ୍ତ ତଥ୍ୟ ଦେଇଥିବ । ହେଲେ ଆରଟିଆଇ ତଥ୍ୟରେ ଶ୍ରୀମନ୍ଦିର ପ୍ରଶାସନ କହିଛି ଏନେଇ କୌଣସି ସୂଚନା ନାହିଁ । ଏଣୁ ରତ୍ନ ଭଣ୍ଡାର ଚାବିକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଭୂମିକାକୁ ନେଇ ସନ୍ଦେହ ହେଉଛି । ତଦନ୍ତ କମିଶନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସଠିକ୍ ତଥ୍ୟ ଦେଇନାହିଁ । ତଦନ୍ତରେ ସହଯୋଗ କରାଯାଇନାହିଁ । କାଳେ ଲୋକମାନେ ଜାଣିଯିବେ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଆରଟିଆଇରେ ତଥ୍ୟ ଦେଉନାହିଁ । ଯାହା ପ୍ରମାଣିତ କରୁଛି, ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷିତ ନାହିଁ । କିଛି ଭୁଲ ଭଟକା ରହିଛି । ଯାହାକୁ ସରକାର ଲୁଚାଇବାକୁ ଚାହୁଁଛନ୍ତି । ଏଣୁ ତଥ୍ୟ ନଦେବା ପାଇଁ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ୧୯୬୦ରୁ ୧୯୮୫ ମସିହା ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ୭ ଥର ଖୋଲିଛି । ନିୟମ ଅନୁଯାୟୀ ସମସ୍ତ ରେକର୍ଡ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଖରେ ରହିଛି । ଏଣୁ ଆରଟିଆଇରେ ତଥ୍ୟ ନଦେବା ପ୍ରମାଣିତ କରିଛି, ରତ୍ନଭଣ୍ଡାରରେ କିଛି ଭୁଲ ରହିଛି ।"
ସେପଟେ ଆରଟିଆଇରେ ଶ୍ରୀମନ୍ଦିର ପ୍ରଶାସନ ତଥ୍ୟ ନଦେବାକୁ ନେଇ ଶ୍ରୀଜଗନ୍ନାଥ ସେନା କଡ଼ା ସମାଲୋଚନା କରିଛି । ଶ୍ରୀଜଗନ୍ନାଥ ସେନା ଆବାହକ କହିଛନ୍ତି, "ରତ୍ନଭଣ୍ଡାରର ତଥ୍ୟ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନଥିବା ଉତ୍ତର ସମ୍ପୂର୍ଣ୍ଣ ହାସ୍ୟାସ୍ପଦ । ଏଥିରୁ ପ୍ରମାଣିତ ହୋଇଛି ଚାବି ହଜିବା, ତଦନ୍ତ କମିଶନ ବସିବା, ତତ୍କାଳୀନ ଜିଲ୍ଲାପାଳଙ୍କୁ ନକଲି ଚାବି ମିଳିବା ସମ୍ପୂର୍ଣ୍ଣ ନାଟକ । ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଲୁଟ୍ ହୋଇସାରିଛି । ଏହା ଲୋକଲୋଚନକୁ ଆସିଲେ ସରକାରଙ୍କ ବଦନାମ ହେବାର ଆଶଙ୍କା ଥିବାରୁ ରତ୍ନଭଣ୍ଡାର ତଥ୍ୟ ସାର୍ବଜନୀନ କରାଯାଉନାହିଁ । ଯଦି ଚାବି ହଜିଯାଇଛି, ଏହାକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗାଯାଉ । ଏହାପରେ ରତ୍ନ ଅଳଙ୍କାର ଜାଞ୍ଚ ହେଉ । ଏଥିରେ ଅସୁବିଧା କଣ ?"
ପ୍ରକାଶ ଥାଉ କି, ଗତ ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଚାବି ହଜିବା ଘଟଣା ଜଣା ପଡ଼ିବା ପରେ ରାଜ୍ୟରେ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା । ସରକାରଙ୍କୁ ସବୁ ମହଲରୁ କଡ଼ା ସମାଲୋଚନା ପରେ ରାଜ୍ୟ ସରକାର ୨୦୧୮ ଜୁନ୍ ୬ ତାରିଖରେ ଚାବି ହଜିବା ଘଟଣାର ତଦନ୍ତ ପାଇଁ ଜଷ୍ଟିସ୍ ରଘୁବୀର ଦାସ କମିଶନ ଗଠନ କରିଥିଲେ । ୨୦୧୮ ନଭେମ୍ବର ୨୯ ତାରିଖରେ ସରକାରଙ୍କୁ କମିଶନ ୩୨୪ ପୃଷ୍ଠାର ଏକ ତଦନ୍ତ ରିପୋର୍ଟ ଦେଇଥିଲେ । ଏହି କମିଶନ ତଦନ୍ତରେ ୨୨ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ହେଲେ ତଦନ୍ତ ରିପୋର୍ଟକୁ ସରକାର ଆଜିଯାଏଁ ସାର୍ବଜନୀନ କରିନାହାନ୍ତି । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି ।
ଇଟିଭି ଭାରତ, ପୁରୀ