ପୁରୀ: ଆଜିଠାରୁ ଖୋଲିଲା ପୁରୀ ଶ୍ରୀମନ୍ଦିର । ହେଲେ ଜଗାକୁ ଦର୍ଶନ କରିପାରିବେ ନାହିଁ ଭକ୍ତ । ଆଜି ଓ ଆସନ୍ତାକାଲି ଜଗାକୁ ଦର୍ଶନ କରିବାକୁ କେବଳ ସେବାୟତଙ୍କ ପରିବାରକୁ ଅନୁମତି ମିଳିଛି । ସେହିପରି ପୁରୀ ସହରବାସୀଙ୍କୁ ଅଗଷ୍ଟ ୧୬ରୁ ୨୦ ଯାଏଁ ଦର୍ଶନ କରିବାକୁ ଅନୁମତି ମିଳିଛି ଓ ୨୩ରୁ ସର୍ବସାଧାରଣଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ କୋଭିଡ ଗାଇଡଲାଇନ ମାନି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ତେବେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ଓ ମନ୍ଦିର ଖୋଲିବା ନେଇ ଗତକାଲି ଜାରି ହୋଇଥିଲା SOP ।
ତେବେ ଜାରି ନିର୍ଦ୍ଦେଶନାମା ଅନୁୟାୟୀ ଭକ୍ତ, ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବେ ଓ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ । ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ କରିପାରିବେ ନାହିଁ । କୋଭିଡ କଟକଣା ଓ ଏସଓପିକୁ କଡାକଡି ଭାବେ ପାଳନ କରାଯିବା ନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଜୋରଦାର କରିଛି ।
କୋରୋନା ମହାମାରୀ ପାଇଁ ଏପ୍ରିଲ ୨୪ରୁ ବନ୍ଦ ରହିଥିଲା ଶ୍ରୀମନ୍ଦିର । ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ଖୋଲାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତକାଲି SOP ଜାରି ହୋଇଥିଲା । ପ୍ରଥମେ ୧୨ ଓ ୧୩ ଦୁଇଦିନ ଧରି ସେବାୟତ ଓ ତାଙ୍କ ପରିବାରର ସଦସ୍ୟ ପ୍ରଥମେ ଦର୍ଶନ ସୁଯୋଗ ପାଇବେ । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ପ୍ରତି ୱାର୍ଡ ୱାରୀ ଦର୍ଶନ ସୁଯୋଗ ପାଇବା ନେଇ ଏସଓପିରେ କୁହାଯାଇଛି । ଏନେଇ ସେମାନଙ୍କୁ ପୁରୀ ପୌରପାଳିକା ପକ୍ଷରୁ ଚିରକୁଟ୍ ଦିଆଯିବ । ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରକୁଟ୍ରେ ପରିବାରର ୬ ଜଣ ସଦସ୍ୟ ଦର୍ଶନ ପାଇଁ ଅନୁମତି ମିଳିଛି । ଏପଟେ ପ୍ରଶାସନର ଏପରି ନିଷ୍ପତ୍ତିକୁ ପୁରୀବାସୀ ସ୍ବାଗତ କରିଛନ୍ତି ।
ସେହିପରି ୨୩ରୁ ରାଜ୍ୟ ଭିତର ଓ ବାହାରର ଶ୍ରଦ୍ଧାଳଙ୍କ ପାଇଁ ସାଧାରଣ ଦର୍ଶନ ଆରମ୍ଭ ହେବ । ଏଥିପାଇଁ ୯୬ ଘଣ୍ଟାର RT-PCR ନେଗେଟିଭ ରିପୋର୍ଟ କିମ୍ବା ୨ଟି କୋଭିଡ ଟିକା ଗ୍ରହଣ କିରଥିବା ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ସମୟରେ ସମସ୍ତ ଶ୍ରଦ୍ଧାଳୁ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବା ଉପରେ ଗୁରୁତ୍ବରୋପ କରାଯାଇଛି । ସେହିପରି ଶ୍ରୀମନ୍ଦିର ଭିତରକୁ ଫୁଲ,ତୁଳସୀ,ପ୍ରସାଦ କିମ୍ବା ଦୀପ ନନେବା ସହ ମନ୍ଦିର ଭିତରେ ଥିବା ଅନ୍ୟ ପାର୍ଶ୍ବ ଦେବାଦେବୀ କିମ୍ବା ବିଗ୍ରହଙ୍କୁ ମଧ୍ୟ ସ୍ପର୍ଶ ନକରିବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
ପାନ,ଗୁଟଖା ଖାଇବା ଉପରେ କଟକଣା ଲଗାଯିବା ସହ ମନ୍ଦିର ପରିସରରେ ମାଦକ ଦ୍ରବ୍ୟ ଖାଇଲେ ୫୦୦ ଟଙ୍କା ଓ ପଲିଥିନ ବ୍ୟବହାର ପାଇଁ ୧୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଲାଇନର ଵ୍ୟଵସ୍ଥା ହେବ । ତେବେ ସପ୍ତାହାନ୍ତ ସଟଡାଉନ ଓ ଆଗକୁ ଆସୁଥିବା ପର୍ବପର୍ବାଣୀ ସମୟରେ ଦର୍ଶନ ବନ୍ଦ ରହିବ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ