ପୁରୀ: ପିପିଲିର ଚନ୍ଦ୍ରଦେଇପୁରରେ ନାଲି ପିମ୍ପୁଡି ଆତଙ୍କ ଘଟଣା । ପୁରୀ ଜିଲ୍ଲା ପିପିଲିର ଚନ୍ଦ୍ରାଦେଇପୁର ବ୍ରାହ୍ମଣ ସାହିରେ ପିମ୍ପୁଡ଼ି ଆତଙ୍କ କିଛି ମାତ୍ରାରେ କମିଥିବା ନେଇ ଦେଖିବାକୁ ମିଳିଛି । ପିପିଲି ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ଦମନ କରିବାକୁ ରାସାୟନିକ ତରଳ ପଦାର୍ଥ ସିଞ୍ଚନ ପରେ ଅନେକ ପରିମାଣର ପିମ୍ପୁଡ଼ି କମିଯାଇଛି । ଫଳରେ ସ୍ଥାନୀୟ ବାସିନ୍ଦା ସାମାନ୍ୟ ଆଶ୍ବସ୍ଥି ମିଳିଛି ।
ତେବେ ସୂଚନା ଅନୁଯାୟୀ, ଏବେବି ଅଳ୍ପ କିଛି ପିମ୍ପୁଡ଼ି ଘରକୁ ଆସୁଥିବାରୁ ଚିନ୍ତିତ ଅଛନ୍ତି ଲୋକେ । ଏଣୁ ସଂପୂର୍ଣ୍ଣ ପିମ୍ପୁଡି ଦମନ ପାଇଁ ଆଉ କିଛିଦିନ ଏହି ରାସାୟନିକ ଔଷଧ ସିଞ୍ଚନ ପାଇଁ ଦାବି ହୋଇଛି । ତେବେ ଗତ ମାସେ ହେବ ନାଲି ପିମ୍ପୁଡ଼ି ଆତଙ୍କ ଚଦ୍ରଦେଇପୁରରେ ଆରମ୍ଭ ହୋଇଥିଲା । ବନ୍ୟାରେ ଏହି ନାଲି ବଡ ପିମ୍ପୁଡ଼ିଙ୍କ ଆତଙ୍କ ବେଶୀ ବଢ଼ି ଯାଇଥିବା କାରଣରୁ ଘର ଦ୍ଵାର, ରୋଷେଇ ଘର, ଶୋଇବା ଘରେ ପଲ ପଲ ପିମ୍ପୁଡ଼ି ପଶି ଆସିଥିଲେ । ଏହି ନାଲି ପିମ୍ପୁଡ଼ି ଶରୀରରେ ଚଢ଼ି ଯିବାରୁ କୁଣ୍ଡେଇ ହୋଇ ଦେହରେ ଘା ହୋଇ ଯାଇଥିଲା । ଏଭଳି ପରିସ୍ଥିତି ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଚେତା ପଶିଥିଲା ପ୍ରଶାସନର । ଓୟୁଏଟିରୁ ଏକ ବିଶେଷଜ୍ଞ ଟିମ୍ ଗାଁରେ ପହଞ୍ଚି ପିମ୍ପୁଡି ବୃଦ୍ଧିର କାରଣ ଅନୁଧ୍ୟାନ କରିଥିଲେ । ତେବେ ouat ରୁ ଆସିଥିବା ବୈଜ୍ଞାନିକ କହିଥିଲେ ବନ୍ୟା ଯୋଗୁଁ ଗାତରେ ପାଣି ପଶିଯିବା ଏବଂ ଘର ଚାରିପଟେ ଅପରିଷ୍କାର ପରିବେଶ ପାଇଁ ଏଭଳି ଅତ୍ୟଧିକ ପିମ୍ପୁଡ଼ି ବଢ଼ି ଯାଇଛନ୍ତି । ତେବେ ଏହି ବିଶେଷଜ୍ଞ ଟିମ୍ ପିମ୍ପୁଡ଼ିର ସାମ୍ପୁଲ୍ ନେଇ ଯାଇଛନ୍ତି । ଏହା କେଉଁ ପ୍ରଜାତିର ଓ କିଭଳି ଏହାର ବଂଶ ବିସ୍ତାର ରୋକି ହେବ ସେନେଇ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ।
ଏହା ବି ପଢନ୍ତୁ-ନାଲି ପିମ୍ପୁଡି ଆତଙ୍କ, ମେଡ଼ିକାଲ ଟିମ୍ ପହଞ୍ଚି ସ୍ପ୍ରେ କରିବା ସହ ଓୟୁଏଟି ଗଲା ସାମ୍ପୁଲ
ତେବେ ସୂଚନା ଥାଉକି, ପିମ୍ପୁଡ଼ି ଘଉଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଉଦ୍ୟମ । ଗାଁରେ ମେଡ଼ିକାଲ ଟିମ୍ ପହଞ୍ଚି ପିମ୍ପୁଡ଼ି ମାରିବା କାମ ଆରମ୍ଭ କରିଥିଲେ । ଓୟୁଏଟି 4ଜଣିଆ ପ୍ରତିନିଧି ଟିମ୍ ଗାଁରେ ପହଞ୍ଚି ଅନୁଧ୍ୟାନ କରିଥିବା ବେଳେ ପରୀକ୍ଷା ନିରୀକ୍ଷା ପରେ ଏହା କେଉଁ ପ୍ରଜାତିର ଜଣାପଡିବା ସହ ଏହାର ନିରାକରଣ ପାଇଁ ବାଟ ବାହାରିବା ନେଇ କହିଥିଲେ ଓୟୁଏଟିର ବୈଜ୍ଞାନିକ । ସେହିପରି ଆଖପାଖ ପରିବେଶକୁ ସଫାସୁତୁରା ରଖିବାକୁ ଲୋକଙ୍କୁ ପରାମର୍ଷ ଦେଇଥିଲେ । କୀଟନାଶକ ଔଷଧ ପ୍ରୟୋଗ କରାଯାଇ ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ଉଦ୍ୟମ ହୋଇଥିଲା । ଆଜି ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ତରଳ ରାସାୟନିକ ପଦାର୍ଥ ସିଞ୍ଚନ କରାଯାଇଥିବାରୁ ଏଥିଯୋଗୁଁ ଅନେକ ପରିମାଣରେ ପିମ୍ପୁଡି କମି ଯାଇଥିବା ନେଇ ଜଣା ପଡିଛି ।
ଇଟିଭି ଭାରତ, ପୁରୀ