ପୁରୀ: ଜିଲ୍ଲାରେ ନିର୍ମାଣ ହୋଇଥିବା ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ପୁରୀବାସୀଙ୍କ ସ୍ବାଗତ । ମାତ୍ର କାର୍ଯ୍ୟକ୍ଷମକୁ ନେଇ ଉଠିଛି ପ୍ରଶ୍ନ । 2015ରୁ ଆରମ୍ଭ ହୋଇଥିବା ଏହି ମେଡିକାଲ କଲେଜ କାମ ଶେଷ ହୋଇଛି ସତ, ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ବର୍ତ୍ତମାନ ମେଡିକାଲ କଲେଜ କୋଭିଡ୍ ହସ୍ପିଟାଲ ହୋଇ ଥିବାବେଳେ ଏଠାରେ 650 ଶଯ୍ୟା ବିଶିଷ୍ଟ ମେଡିକାଲ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
ସରକାରଙ୍କ ଏହି ଘୋଷଣା ପରେ ଜିଲ୍ଲାବାସୀ ଖୁସିବ୍ୟକ୍ତ କରିଛନ୍ତି । ତେବେ ଏହି ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ 3 ବର୍ଷ ମଧ୍ୟରେ ଶେଷ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ 225 କୋଟି ବ୍ୟୟ ବରାଦ କରାଯାଇଛି । ଅନ୍ୟପଟେ 2015 ମସିହାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ମେଡିକାଲ କଲେଜ ଆସନ୍ତା ବର୍ଷରୁ କାର୍ଯ୍ୟକ୍ଷମ ହେବ ବୋଲି ଆଶା ରଖିଛନ୍ତି ଜିଲ୍ଲାବାସୀ । ବର୍ତ୍ତମାନ ଏହି ମେଡିକାଲ କଲେଜ କୋଭିଡ ପରିଚାଳନା କେନ୍ଦ୍ରରେ ପରିଗଣିତ ହେଉଛି । ତେଣୁ ତୁରନ୍ତ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାବାସୀ ଅନୁରୋଧ କରିଛନ୍ତି । ଏଥିସହ ମେଡ଼ିକାଲରେ ଅତ୍ୟାଧୁନିକ ସୁପର ସ୍ପେସିଆଲିଟି ବ୍ୟବସ୍ଥା କରିବାକୁ ମଧ୍ୟ ଅନୁରୋଧ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ