ବ୍ରହ୍ମଗିରି: ପୁରୀରେ ପୃଥକ ପୃଥକ ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ କାର ଗଛରେ ପିଟି ହେବାରୁ 4 ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଆଜି(ରବିବାର) ସକାଳ ସମୟରେ ବ୍ରହ୍ମଗିରି ଡ଼େଲାଙ୍ଗ ରାସ୍ତା ଦେଇ ନୀଳଚକ୍ର ନାମକ ଏକ ଯାତ୍ରୀବାହୀ ବସ୍ ଯାଉଥିବା ବେଳେ ମଣପଡା ଛକ ଠାରେ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା ।
ମୃତକ ଜଣଙ୍କ ହେଲେ ଅଫିଠି ଗ୍ରାମର କମଳ ସାମନ୍ତରାୟ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକମାନେ ବସ୍ ଅଟକାଇ ମୃତଦେହ ରାସ୍ତାରେ ରଖି ଆନ୍ଦୋଳନ କରିଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା । ମୃତକଙ୍କ ପରିାବରକୁ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ମୃତକ କମଳଙ୍କୁ ପରିବାର ଲୋକେ ପୁରୀ ଡ଼ାକ୍ତରଖାନା ନେବା ସହିତ ଦୁର୍ଘଟଣା ଘଟାଇଥିବା ବସକୁ ପୋଲିସ ଜବତ କରି ବ୍ରହ୍ମଗିରି ଥାନାକୁ ଆଣିଛି ।
ସେହିପରି ପୁରୀରୁ ପର୍ଯ୍ୟଟକଙ୍କୁ ନେଇ ସାତପଡ଼ା ଅଭିମୁଖେ ଯାଉଥିବାବେଳେ ଏକ କାର୍ ମଠପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଫଳରେ କାରରେ ଥିବା ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଯୋଗ ଆହତମାନଙ୍କୁ ଉଦ୍ଧାର କରାଯାଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଗତକାଲି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅନ୍ତର୍ଗତ ନେଉଳପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ରାସ୍ତାକଡରେ ଛିଡା ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଧକ୍କା ଦେଇଥିଲା ଏକ ଟ୍ରକ। ଏଥିରେ ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ । ସମସ୍ତ ମୃତାହତ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଥିଲା । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ଧର୍ମଶାଳା ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଶୁକ୍ରବାର ରାତିରେ ବଲାଙ୍ଗୀର ଖପ୍ରାଖୋଲ ଥାନା ଅନ୍ତର୍ଗତ ବାଗଝର ଗ୍ରାମରେ ଏକ ଦୁର୍ଘଟଣା ଘଟିଥିଲା । ବରଯାତ୍ରୀ ଡ୍ୟାନ୍ସ କରୁଥିବା ବେଳେ ସେମାନଙ୍କ ଉପରେ କାର ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଥିଲେ ।
ଇଟିଭି ଭାରତ, ବ୍ରହ୍ମଗିରି