ପୁରୀ: ଶ୍ରୀମନ୍ଦିରରେ ସେବକଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା ମଧ୍ୟ କରିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ହେଲେ ବାସ୍ତବରେ ଶ୍ରୀମନ୍ଦିର ପରିଚାଳନା କମିିଟି ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ରବିବାର ଏଭଳି ଅଭିଯୋଗ ଆଣି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛି ସେବାୟତ ସଂଘ । ସେମାନଙ୍କ ସହ ନିଷ୍ପତ୍ତି ପୂର୍ବରୁ ଆଲୋଚନା ନହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ।
ସେବାୟତମାନଙ୍କ କହିବା ଅନୁଯାୟୀ, ବିନା କୌଣସି ଆଲୋଚନାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତ କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ସେବାୟତଙ୍କ ସଂଖ୍ୟା କମାଯାଇ 36 ରଖିବା ପାଇଁ ଦର୍ଶାଯାଇଛି ।
ଯାହାକୁ ନେଇ ସେବାୟତ ସଂଘଙ୍କ କହିବା କଥା କି ପ୍ରତିଦିନ ଶ୍ରୀମନ୍ଦିର ସେବା ପୂଜା ପାଇଁ 100ରୁ ଅଧିକ ସେବାୟତଙ୍କର ଆବଶ୍ୟକତା ରହିଥାଏ । ସେହିପରି ପୂଜାପର୍ବ ସମୟରେ ପ୍ରତିଦିନ ତୁଳନାରୁ ଅଧିକ ସେବାୟତଙ୍କର ଆବଶ୍ୟକତା ରହିଥାଏ । ତେଣୁ ମାତ୍ର 36 ଜଣ ସେବାୟତଙ୍କୁ ନେଇ ସେବା ପୂଜା କରିବା ଏକପ୍ରକାର ଅସମ୍ଭବ ବୋଲି ମତପ୍ରକାଶ କରିଛନ୍ତି ସେବାୟତ ସଂଘ ।
ସେହିପରି ଶ୍ରୀମନ୍ଦିର ସ୍ବତଃ ଲିପିରେ ସେବାୟତମାନେ ଶ୍ରୀମନ୍ଦିରରେ ସେବା ପୂଜା କରିବାର ଅଧିକାର ଉଲ୍ଲେଖ ରହିଛି । ତେଣୁ ସବୁ ତଥ୍ୟକୁ ଅଣଦେଖା କରି ସେବୟତଙ୍କ ସହିତ ଆଲୋଚନା ନ କରି ଶ୍ରୀମନ୍ଦିରରେ ସେବୟତଙ୍କ ସଂଖ୍ୟା ହ୍ରାସ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅବାସ୍ତବ ବୋଲି ସେବୟତ ଅଭିଯୋଗ କରିଛନ୍ତି ।
ଶ୍ରୀମନ୍ଦିରରେ ସେବାୟତ ମାରଣ ନୀତିକୁ ସେବାୟତମାନେ ତୀବ୍ର ସମାଲୋଚନା କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଏକ ପାଖିଆ ଭାବେ ଯେଭଳି ନିଷ୍ପତ୍ତି ନେଉଛି ସେଥିରୁ କ୍ଷାନ୍ତ ନହେଲେ ଏବଂ ସେବାୟତ ମାରଣ ନୀତି ପ୍ରତ୍ୟାହାର ନକଲେ ଶ୍ରୀମନ୍ଦିର ପରିଚାଳନା କମିଟିରୁ ସବୁ ସଦସ୍ୟ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ଆଗାମୀ ଦିନରେ ଯେଉଁ ଅପ୍ରୀତିକର ପରିସ୍ଥିତି ହେବ ପ୍ରଶାସନ ଓ ସରକାର ସେଥିପାଇଁ ଦାୟୀ ରହିବେ ବୋଲି ଏହି ସାମ୍ବାଦିକ ସମିଳନୀରେ କୁହାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ