ପୁରୀ: ପ୍ରଥା ଓ ପରମ୍ପରାର ସହରର ପୁରୀ ସେବାୟତ କୂଳର ଅନନ୍ୟ ପର୍ବ ନେତ ପିଲା । ଶାରଦୀୟ ଦୁର୍ଗା ପୂଜା ଅବସରରେ ସେବାୟତ ସମ୍ପ୍ରଦାୟର କୁମାରୀ କନ୍ୟାମାନେ ଭଲ ବରଟିଏ ପାଇଁ ପାରମ୍ପରିକ ବେଶ ଓ ଅଳଙ୍କାରରେ ସଜେଇ ହୋଇ ପୂଜାର୍ଚ୍ଚନା କରିଥାନ୍ତି ।
ଶହ ଶହ ବର୍ଷ ପୂର୍ବରୁ ପାଳିତ ହୋଇଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡିକରେ ପରମ୍ପରା ମୁତାବକ ଚାଲିଆସୁଛି | ପ୍ରାୟ 21ଦିନ ପୂର୍ବରୁ ବଳୀ ପୂଜନ କରିବା ପରେ ଶେଷ ତିନିଦିନ ଧରି ବିଭିନ୍ନ ବେଶଭୁଷାରେ ସଜ୍ଜିତ ହୋଇ ମାର୍କଣ୍ଡ ପୋଖରୀ କୂଳରେ ମା ବୃନ୍ଦାବତୀଙ୍କୁ ପୂଜା କରିବା ପରମ୍ପରା ରହିଛି ।
ନେତ ପିଲାମାନେ ମା ବୃନ୍ଦାବତୀଙ୍କ ପାଖରେ ପୂଜା କରିଵା ସହ ସେଠାରେ ବଳି ଗୀତ ଗାଇଥାନ୍ତି | ପୁରାଣ କୁହେ ମା ପାର୍ବତୀ ଶିବଙ୍କୁ ପାଇବା ଉଦ୍ଦେଶ୍ୟରେ ଏହି ପୂଜା କରୁଥିଲେ ।
ସେହି ବିଶ୍ବାସ ସହ ସେବାୟତ କୁମାରୀ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଓ ବେଶ ପରିପାଟିରେ ସଜ୍ଜିତ ହୋଇ ସାଥିରେ ପାଣିକଖାରୁ, ଖଣ୍ଡ ହଳଦି, ଜହ୍ନି,ମକା, କାକୁଡି, ନଡିଆ ଆଦି ନେଇ ମାର୍କଣ୍ଡ କୂଳରେ ପୂଜା କରିଥାନ୍ତି । ଠାକୁରଙ୍କୁ ବନ୍ଦାପନା କରି ବଳି ଓ କାଟି ଗୀତ ଗାଇଥାନ୍ତି ନେତପିଲା । ଅଷ୍ଟମୀ ତିଥିରେ ପୂଜା ଶେଷ ପରେ ସମସ୍ତ ପୂଜା ସାମଗ୍ରୀକୁ ମାର୍କଣ୍ଡ କୂଳରେ ବିସର୍ଜନ କରାଯାଇଥାଏ । ଏହାପରେ ପିଲାମାନେ ପ୍ରଭୁ ମାର୍କଣ୍ଡେୟଙ୍କୁ ଦର୍ଶନ କରି ବ୍ରତ ଶେଷ କରିଥାନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ