ପୁରୀ: ପବିତ୍ର ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଭାଇଭଉଣୀଙ୍କ ସହ କାଳିଆ ସାଆନ୍ତଙ୍କୁ ପାଖରୁ ଟିକିଏ ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ତେବେ ସୁରକ୍ଷା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ।
ବଡଦାଣ୍ଡର ବିଭିନ୍ନ ସ୍ଥାନରେ 3ଟି ସ୍ପେଶାଲ ଟେକ୍ନିକାଲ ୟୁନିଟକୁ ନିୟୋଜିତ କରାଯାଇଛି । ଏଥିସହ ସୁରକ୍ଷା ଦୃଷ୍ଟିରୁ 2ଜଣ ଅତିରିକ୍ତ ଡିଜି, 4ଜଣ ଆଇଜି, 16 କମାଣ୍ଡାଣ୍ଟ ଓ ଏସ୍ପିଙ୍କ ସମେତ ସମୁଦାୟ 143 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଜରୁରୀକାଳୀନ ସ୍ଥିତି ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଡିଜିପି ।
ବର୍ତ୍ତମାନ ସୁଦ୍ଧା 2 ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିବାବେଳେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 10 ହଜାରରୁ ଊର୍ଦ୍ଧ୍ବ ପୋଲିସଙ୍କୁ ଭିନ୍ନ ଭିନ୍ନ ଦାୟିତ୍ବରେ ନିୟୋଜିତ କରାଯାଇଛି ।
ସେପଟେ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ କଡାକଡି କରାଯିବା ସହ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ବାତ୍ୟା ଫନି ପରେ ବଡଦାଣ୍ଡରେ ସିସିଟିଭି ଲଗାଇବା ଏକ ଚ୍ୟାଲେଞ୍ଜ ପରି ଥିଲା । କିନ୍ତୁ କାଳିଆ ଠାକୁରଙ୍କ ଆଶୀର୍ବାଦରୁ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇଛି ।
ତେଣେ ଶ୍ରଦ୍ଧାଳୁ ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରୁଥିବା କହିଛନ୍ତି ଡିଜିପି ।
ପୁରୀରୁ ତାପସ ପରିଡା, ଇଟିଭି ଭାରତ