ପୁରୀ: ସାରା ବିଶ୍ବରେ ଥିବା ସମସ୍ତ ମନ୍ଦିର ନୀତି ଅପେକ୍ଷା ଶ୍ରୀମନ୍ଦିର ନୀତି ସ୍ବତନ୍ତ୍ର ଓ ତତ୍ତ୍ବପୂର୍ଣ୍ଣ । ଶ୍ରୀଜଗନ୍ନାଥଙ୍କ ତତ୍ତ୍ବ ନୀତି, ବିଧିବିଧାନ ସବୁ ଗୁପ୍ତ, ଗମ୍ଭୀର, ବ୍ୟାପକ ଓ ରହସ୍ୟାରେ ଆଚ୍ଛାଦିତ । ଜଗନ୍ନାଥଙ୍କ ରୂପ ଯେପରି ଅଦ୍ଭୁତ ଓ ରହସ୍ୟମୟ, ସେହିପରି ମନ୍ଦିରର ନୀତିକାନ୍ତି ଗୁପ୍ତରହସ୍ୟର ମହାସମୁଦ୍ର । ତନ୍ମଧ୍ୟରୁ ଆଷାଢ ଶୁକ୍ଲ ଦ୍ବାଦଶୀ ଦିନ ନୀଳାଦ୍ରି ବିଜେର ପୂର୍ବଦିନ ଅର୍ଥାତ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କୁ ଅଧରପଣା ଲାଗି କରାଯାଏ । ଏହି ପଣାଭୋଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ଗୃଢତତ୍ତ୍ବରେ ପରିପୂର୍ଣ୍ଣ । ଆସନ୍ତୁ ଜାଣିବା ଏହା ପଛର କାହାଣୀ ଓ ରହସ୍ୟ ।
ଏ ଅଧରପଣା ଜୀଉମାନଙ୍କ ପ୍ରସାଦ ପରେ ରଥାରୁଢ଼ ଅନୁଚର, ଅନୁଗମନକାରୀ, ସହଚର, ଗଣ ପାଇଥାନ୍ତି । ଶାସ୍ତ୍ର ପୃଷ୍ଠାରୁ ଜଣାଯାଏ ଯେ, ରଥର ଚକ ଠାରୁ ଆରମ୍ଭ କରି ଧ୍ବଜ ନେତ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଭିନ୍ନ ଦେବତା, ଋଷି, ଗନ୍ଧର୍ବ, ଯକ୍ଷ, ରକ୍ଷ, କିନ୍ନର, ଚଣ୍ଡି, ଚାମଣ୍ଡା, ଅଶରୀରୀ, ପିଶାଚ, ଯୋଗିନୀ ପ୍ରଭୃତିଙ୍କୁ ଆବାନ କରି ଅବସ୍ଥାପିତ କରାଯାଇଥାଏ । ଏହି ନବଦିନ ଯାତ୍ରାରେ ସେମାନେ ପ୍ରଭୁଙ୍କ ଅନୁଚର ଓ ରଥ ରକ୍ଷକ ଭାବେ ସେବା ପ୍ରଦାନ କରିଥାନ୍ତି । ଏହି ପଣା ପାଇଁ ସେମାନେ ମୁକ୍ତ ହୋଇଥାନ୍ତି ।
ବାହୁଡ଼ା ପରେ ସିଂହଦ୍ବାରରେ ତିନିରଥରେ ରଥାରୁଢ଼ ତିନି ଠାକୁରଙ୍କ ଅଧରକୁ ସ୍ପର୍ଶ କରୁଥିବା ଭୋଗର ନାମ ପଣାଭୋଗ । ଜୀଉମାନଙ୍କୁ ପଣା ଅର୍ପଣ ପରେ ପଣା ତୁମ୍ବା ବା ହାଣ୍ଡିମାନଙ୍କୁ ଭାଙ୍ଗି ଦିଆଯାଏ । ଏହି ପଣା ରଥର ସର୍ବାଙ୍ଗକୁ ବ୍ୟାପି ଥାଏ । ଫଳରେ ଚକତଳେ ଥିବା ଅଥବା ଶ୍ରୀଜୀଉମାନଙ୍କ ଆଶ୍ରିତ ପ୍ରେତ ବା ପିଶାଚମାନେ ଏ ପଣା ପାନ କରି ତୃପ୍ତ ହୋଇ ସ୍ବସ୍ଥାନକୁ ପ୍ରସ୍ଥାନ କରିଥାନ୍ତି । ଏହାକୁ ଭକ୍ତ ଓ ସେବାୟତମାନଙ୍କୁ ସେବନ ପାଇଁ ବଣ୍ଟା ଯାଏ ନାହିଁ । କାରଣ ଏହା ଶାସ୍ତ୍ର ସମ୍ମତ ନୁହେଁ ।
9ଗୋଟି ଉପାଦାନରେ ପ୍ରସ୍ତୁତ ହୋଇଥାଏ ଏହି ପଣାଭୋଗ । ପ୍ରତି ରଥରେ ୩ଟି କରି ମୋଟ ୯ ହାଣ୍ଡି ପଣା ମହାପ୍ରଭୁଙ୍କୁ ମଣୋହୀ ହୋଇଥାଏ ବୋଲି କୁହାଯାଏ । ଛାଚି, କ୍ଷୀର, ସର, ଛେନା, ନବାତ, ପାଚିଲାକଦଳୀ, ଗୋଲମରିଚ ଗୁଣ୍ଡ, ବଟା ଜାଇଫଳ ଓ କର୍ପୁରର ମିଶ୍ରଣରେ ପଣା ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ଏକ ସ୍ବତନ୍ତ୍ର ନୀତି ଅବଲମ୍ବନ ହୁଏ । ଏହି ନୀତି ଅନୁଯାୟୀ ଆଷାଢ଼ ମାସ ଶୁକ୍ଲ ଦ୍ବାଦଶୀଦିନ ମଧ୍ୟାହ୍ନ ଧୂପ ଶେଷ ହେଲା ପରେ ତିନୋଟି ରଥ ଉପରେ ଗୋଟିଏ ଲେଖାଏଁ ବଡ଼ ପିତଳ ହଣ୍ଡା ଆଣି ରଖାଯାଏ । ପାଣିଆପଟ ନିଯୋଗର ପାଳିଆ ସେବକମାନେ ସିଂହଦ୍ବାର ନିକଟସ୍ଥ ଛାଉଣିମଠର କୂଅରୁ ଶୁଦ୍ଧ ଭାବରେ ବିଧି ପୂର୍ବକ ଜଳ ଆଣି ସେ ପିତଳ ହଣ୍ଡାମାନଙ୍କରେ ରଖନ୍ତି । ପୂର୍ବେ ରାଧାବଲ୍ଲଭ ମଠରୁ ଏହି ଜଳ ଅଣାଯାଉଥିଲା । ଏହି ଜଳ କୂଅରୁ ଅଣାଗଲାବେଳେ ମନ୍ଦିର କର୍ମଚାରୀମାନେ ହାତରେ ଗୁଆଖୋଳମାନ ଧରି ଲୋକଙ୍କୁ ବାଟରୁ ଆଡ଼ଉ ଥାଆନ୍ତି, ଯେପରି କେହି ଭକ୍ତ ଜଳକୁ ସ୍ପର୍ଶ ନକରନ୍ତି ।
ଅଧରପଣା ପ୍ରସ୍ତୁତିରେ ତଳିଚ୍ଛ ମହାପାତ୍ର, ଭିତରଚ୍ଛ ମହାପାତ୍ର, ପାଳିଆ ମହାସୁଆର, ପାଣିପଟ, ପୁଷ୍ପାଳକ ଓ ପତ୍ରିବଡ଼ୁ ଆଦି ସେବାୟତ ସହଯୋଗ କରିଥାନ୍ତି । ପିତଳ ହଣ୍ଡାରେ ପାଣିରଖି ସାରିବା ଉତାରୁ ପାଳିଆ ମହାସୁଆରମାନେ ଉକ୍ତ ହଣ୍ଡା ଜଳରେ କ୍ଷୀର, ସର, ପାଚିଲାକଦଳୀ, ଛେନା,ଗୋଲମରିଚଗୁଣ୍ଡ, କର୍ପୁର, ବଟା ଜାଇଫଳ ଓ ଛାଚି ଇତ୍ୟାଦି ମିଶାଇ ଅଧରପଣା ପ୍ରସ୍ତୁତ କରନ୍ତି । ଅଧରପଣା ଭୋଗ ପୂର୍ବରୁ ପାଳିଆ ମହାସୁଆରମାନେ ଥାଇ, ଭିତରଚ୍ଛ, ତଳିଚ୍ଛ ଓ ମଝିବାଡ଼ର ପାଳିଆ ପଶୁପାଳକମାନେ ଅଧରପଣା ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ବାଡ଼ ଦେଇ ଟେରା ବାନ୍ଧିଥାନ୍ତି । ମହାପ୍ରଭୁଙ୍କ ଶ୍ରୀଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବାକୃତି ତିନୋଟି ମାଟିହାଣ୍ଡି ଉପରେ ଅଧରପଣା ଛାଣିବା ପାଇଁ ଖଣ୍ଡେ ଖଣ୍ଡେ ଧଳା ଜାଲିକନା ପକାଇଥାନ୍ତି ।
ଏହାପରେ ପୂର୍ବପ୍ରସ୍ତୁତ ଅଧରପଣାକୁ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ୩ ରଥରେ ମୁରୁଜ ଉପରେ ପୂଜା ପାଠ କରନ୍ତି । ଏହାପର ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିଥାନ୍ତି ଏବଂ ଅଧରପଣା ହାଣ୍ଡି ଗୁଡ଼ିକୁ ଜୀଉମାନଙ୍କୁ ସମର୍ପଣ କରିଥାନ୍ତି । ଏହା ଜୀଉମାନଙ୍କର ପ୍ରସାଦ ହେଲା ପରେ ଅଧରପଣା ହାଣ୍ଡି ଗୁଡ଼ିକୁ ଭାଙ୍ଗି ଦିଆଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ