ପୁରୀ: ଆଉ କିଛି ସମୟ ପରେ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ସେଥିପାଇଁ ସଜେଇ ହେଉଛନ୍ତି କାଳିଆ ସାଆନ୍ତ । ମହଣ ମହଣ ସୁନା ନେଇ ମହାବାହୁଙ୍କୁ ସଜାଇବାରେ ଲାଗି ପଡିଛନ୍ତି ସେବାୟତ ।
କାଳିଆ ସାଆନ୍ତକୁ କିରୀଟ, ଓଡ଼ିଆଣି, ଶ୍ରୀପୟର, ଶ୍ରୀଭୁଜ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ ( ଆୟୁଧ), ହରିଡ଼ା, ତାବିଜମାଳି, ବାହାଡ଼ାମାଳି, ତ୍ରିଖଣ୍ଡିକା, ସେବତିମାଳି, ତ୍ରିଖଣ୍ଡିକା କମରପଟି ଅଳଙ୍କାରରେ ଆଭୂଷିତ କରାଯାଉଛି ।
ବଡ ଭାଇ ବଳଭଦ୍ରକୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷକ( ଆୟୁଧ), ବାହାଡ଼ାମାଳି, ବାଘନଖ ମାଳି, ସେବତିମାଳି, ତ୍ରିଖଣ୍ଡିକା କମରପଟିରେ ସଜ୍ଜିତ କରାଯାଉଛି ।
ସେହିପରି ଦେବୀ ସୁଭଦ୍ରାକୁ କିରୀଟ, ଓଡ଼ିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, କଦମ୍ବ ମାଳି, ତଗଡ଼ି ୨ଟି, ସେବତି ମାଳି, ଘାଗଡ଼ା ମାଳିରେ ସଜ୍ଜିତ କରିବାରେ ଲାଗି ପଡିଛନ୍ତି ସେବାୟତ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ