ପୁରୀ: ବିରୋଧ ସତ୍ତ୍ବେ ଚେତୁନି ଇସ୍କନ । ବାରମ୍ବାର ଅଦିନିଆ ରଥଯାତ୍ରା ଆୟୋଜନ କରୁଥିବା ଦେଖାଯାଉଛି । ତେବେ ଆସନ୍ତା 18ରେ ପୁଣି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ନେଇ ମଥୁରାରେ ପୋଷ୍ଟର ଲାଗିଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇସ୍କନର ଏଭଳି ହୀନ ଉଦ୍ୟମକୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ବିଭିନ୍ନ ସଙ୍ଗଠନ ତୀବ୍ର ବିରୋଧ କରିଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଓ ନିୟମକୁ ମଧ୍ୟ ଇସ୍କନ ଉଲ୍ଲଙ୍ଘନ କରିଛି । ନୀଳାଦ୍ରି ମହୋଦୟ, ବାମଦେବ ସଂହିତା, ଯାତ୍ରା ଭାଗବତ, ବ୍ଯାସକୃତ ସ୍କନ୍ଧ ପୁରାଣ, ବ୍ରହ୍ମପୁରାଣ, ପଦ୍ମ ପୁରାଣରେ ରଥଯାତ୍ରାକୁ ନେଇ ରହିଥିବା ଶାସ୍ତ୍ରୀୟ ପ୍ରମାଣ ଆଧାରରେ ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ରଥଯାତ୍ରା ହୋଇଥାଏ । ପୂର୍ବରୁ ଆଦିନିଆ ରଥଯାତ୍ରା ଅୟୋଜନ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ଅଧକ୍ଷ ତଥା ଗଜପତି ଦିବ୍ୟସିଂହ ଦେବ ଇସ୍କନ ମୁଖ୍ୟାଳୟ ଓ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ଦେଇଥିଲେ । ତଥାପି ଇସ୍କନ ପକ୍ଷରୁ ମୁମ୍ବାଇ ପରେ ପୁର୍ନବାର ମଥୁରାରେ ଆସନ୍ତା 18ରେ ଅଦିନିଆ ରଥଯାତ୍ରାକୁ ନେଇ ପ୍ରଚାର ପ୍ରସାରକୁ ଶ୍ରୀଜଗନ୍ନାଥ ସେନା ବିରୋଧ କରିଛି । ରାଜ୍ୟ ସରକାର ଏନେଇ ପଦକ୍ଷେପ ନନେଲେ ଆଗକୁ ଶ୍ରୀଜଗନ୍ନାଥ ସେନା ଆନ୍ଦୋଳନ କରିବ ବୋଲି କଡା ଚେତାବନୀ ଦେଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ