ପୁରୀ: ବିଶ୍ବ ପ୍ରସିଦ୍ଧ ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଚଳିତବର୍ଷ କୋରୋନା ଲକଡାଉନ କାରଣରୁ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ସେବକମାନେ ଦିନରାତି କାମ କରି ନିର୍ମାଣ କାର୍ଯ୍ୟକୁ ସଠିକ୍ ଭାବେ ଆଗେଇ ନେଇଛନ୍ତି । ପରମ୍ପରା ଅନୁଯାୟୀ ତିନି ରଥର ଚାରି ନାହାକ ସ୍ନାନଯାତ୍ରା ଦିନ ଉଠିଥାଏ । ହେଲେ ଏଥର ସ୍ନାନଯାତ୍ରା ପୂର୍ବରୁ ଚାରି ନାହାକ ଉଠିସାରିଛି ।

ରଥ ନିର୍ମାଣରେ 12 ଦିନ ବିଳମ୍ବ ଘଟିଥିଲେ ମଧ୍ୟ ସଠିକ ସମୟରେ ରଥ ନିର୍ମାଣ କାର୍ଯ୍ୟ ଯେତିକି ହେବା କଥା ପୂର୍ବରୁ ସେହି କାର୍ଯ୍ୟ ସବୁ ଶେଷ ହୋଇଛି । ଏବେ ତିନି ରଥର ପୋଲ ଗୟଳ, ଛନ୍ଦା ଗୟଳ କାର୍ଯ୍ୟ ଚାଲିଛି । ତିନି ରଥରେ ଲାଗିବାକୁ ଥିବା ଜୋକା କାର୍ଯ୍ୟ ସମେତ ଭୂଇଁ, ଛଅ କାଠ ଓ ଚଉଦ ନାହାକ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ରୂପକାର ସେବକମାନେ ତିନି ରଥର କୋଣ ଗୁଜ ସମେତ ନାଟ ଗୋଡ଼ କାର୍ଯ୍ୟ ଆଗେଇ ନେଇଛନ୍ତି । ସକାଳ 8 ଟାରୁ ରାତି 10 ଟା ଯାଏଁ ଦୁଇଟି ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି ।

ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଏହାକୁ ଖାତିର ନକରି ମହାପ୍ରଭୁଙ୍କ ନିମନ୍ତେ ରଥ ନିର୍ମାଣରେ ବିଶ୍ୱକର୍ମା ମହାରଣା ସେବକ ସମେତ ଭୋଇ ସେବକ, ରୂପକାର, କରତି ସେବକ ଏବଂ ଓଝା ସେବକମାନେ ଲାଗି ପଡିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ