ପୁରୀ: ଆଜି ଅନବସର ଦ୍ଵାଦଶୀ ତିଥି ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ପବିତ୍ର ଦେବାସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଗରା ଜଳରେ ସ୍ନାନ କରି ଜ୍ବରରେ ପଡିଛନ୍ତି ଶ୍ରୀଜିଉ । ଜ୍ବରରେ ପୀଡିତ ମହାପ୍ରଭୁ ବର୍ତ୍ତମାନ ଅଣସର ଘରେ ରହିଛନ୍ତି । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଆଜି ଦ୍ବାଦଶୀ ତିଥିରେ ଶ୍ରୀଜିଉମାନଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତିଙ୍କୁ ଦିଆଯିବ । ଦଇତାପତି ସେବକ, ପତି ମହାପାତ୍ର ସେବକ ମାନେ ଆଜି ରୂପା ଥାଳିରେ ଶ୍ରୀଜିଉ ଅଙ୍ଗ ଶ୍ରୀଅଙ୍ଗ ଚନ୍ଦନ, କରାଳ ଓ ପାଟଡୋର ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ଯିବେ ।
ଘଣ୍ଟ, ଛତା ଓ କାହାଳିର ପଟୁଆରରେ ଶ୍ରୀମନ୍ଦିରରୁ ତଳିଛ ମହାପାତ୍ର, ପ୍ରଧାନୀ ସେବକ, ପତିମହାପାତ୍ର, ଦଇତାପତି, ତଢ଼ାଉ ଦେଉଳ କରଣ, ବେହେରା କରଣ ଆଦି ସେବକମାନେ ଶ୍ରୀନହରରେ ପହଞ୍ଚିବେ । ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତା ଦେବେ । ଆସନ୍ତାକାଲି (ଶୁକ୍ରବାର) ତ୍ରୟୋଦଶୀରେ ସୁଦ୍ଧ ସୁଆରଙ୍କଘରୁ ଖଳି ପ୍ରସ୍ତୁତ ହୋଇ ଶ୍ରୀମନ୍ଦିରକୁ ଯିବ । ଚତୁର୍ଦ୍ଦଶୀରେ ଦତ୍ତମହାପାତ୍ର ସେବକମାନେ ଦାରୁଦେବତାଙ୍କ ବନକଲାଗି ଲାଗି ନୀତି କରିବେ । ଏହି ଉପଚାର ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ । ଗତକାଲି ଏକାଦଶୀ ତିଥିରେ ଦଶମୂଳ ମହୌଷଧ ଅର୍ପଣ ପରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ପୁଣି ପୂର୍ବ ଭଳି କୋଳାହଳମୟ ହୋଇ ଉଠିଛି ଶ୍ରୀମନ୍ଦିର । ଶୁକ୍ଳବସ୍ତ୍ର ପରିତ୍ୟାଗ କରି ଶ୍ରୀଜିଉ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରିଛନ୍ତି ।
ଶ୍ରୀବିଗ୍ରହ ଓ ଦଶଠାକୁରଙ୍କ ଠାରେ ଚନ୍ଦନଲାଗି ନୀତି ଅନୁଷ୍ଠିତ ହୋଇଛି । ଚନ୍ଦନ ସର୍ବାଙ୍ଗ ସମୟରେ ଘଣ୍ଟ ବାଜିବା ସହ ବିଜେ କାହାଳୀ ବାଜିଛି । ଅନବସର ସମୟରେ ପ୍ରଥମ ଥର ତୁଳସୀ ଲାଗି ହୋଇଛନ୍ତି । ୧୧ ଦିନର ନିରବିଛିନ୍ନ ସେବାପୂଜା ପରେ ଖଳି ଲାଗି ଏକାଦଶୀ ଅବସରରେ ଶ୍ରୀଜିଉ ସୁସ୍ଥ ହୋଇ ପୁଣି ପୂର୍ବାବସ୍ଥାକୁ ଫେରିଛନ୍ତି । ଏକାଦଶୀ ତିଥିରେ ଅଣସର ଉପଚାର ବେଳେ ମହାପ୍ରଭୁଙ୍କୁ ଖଳିଲାଗି ହୋଇଥିଲା । ଦଶବଅତାରଦିଅଁ ଓ ଶ୍ରୀବିଗ୍ରହଙ୍କଠାରେ ଏକତ୍ର ସର୍ବାଙ୍ଗ ବଢିଥିଲା । ଚନ୍ଦନ, କର୍ପୂର, କସ୍ତୁରୀ ଓ କେଶର ଆଦିସୁଗନ୍ଧିତ ଦ୍ରବ୍ୟକୁ ମିଶାଯାଇ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଛି । ପତିମହାପାତ୍ର ସେବକ ଚନ୍ଦନ ସଂସ୍କାରକରିବା ପରେ ପ୍ରଚଳିତ ପରମ୍ପରା ଅନୁଯାଇ ପ୍ରଭୁ ଶ୍ରୀବଳଭଦ୍ର,ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା । ଦଶମୀ ତିଥିରେ ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିରରେ ଦଶମୂଳ ମହୌଷଧ ପହଞ୍ଚିଥିଲା । ରାଜବୈଦ୍ୟମାନେ ଏହାକୁ ପ୍ରସ୍ତୁତ କରି ଦେଇଥିଲେ । ଏହାକୁ ସେବନ ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି ।
ଇଟିଭି ଭାରତ, ପୁରୀ