ପୁରୀ: ୟୁକ୍ରେନ ଛାତିରେ ଧ୍ବଂସଲୀଳା ରଚୁଛି ଋଷ । କ୍ଷେପଣାସ୍ତ୍ର ମାଡ ସାଙ୍ଗକୁ ଗୁଳିଗୋଳା ବର୍ଷାରେ ଥରୁଛି ଦେଶ । କେତେବେଳେ ଯେ ଏଠାରେ କାହା ସହ କ'ଣ ଘଟିଯାଇପାରେ । ତେଣୁ ଋଷ ସେନାର ଆକ୍ରମଣରୁ ବର୍ତ୍ତିବାକୁ ଲୋକେ ବଙ୍କରରେ ଆଶ୍ରୟ ନେଉଛନ୍ତି । ସେମାନଙ୍କ ମଧ୍ୟରେ ପାଠ ପଢିବାକୁ ୟୁକ୍ରେନ ଯାଇଥିବା ଅନେକ ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି । ସେହିଭଳି ଜଣେ ଛାତ୍ର ହେଉଛନ୍ତି ପୁରୀ ଜିଲ୍ଲା ନବକଳେବର ରୋଡର ବାସିନ୍ଦା ସତ୍ୟଶ୍ରୀ ମହାପାତ୍ର ।
ଯାହା ସୂଚନା ରହିଛି, ସତ୍ୟଶ୍ରୀ ମହାପାତ୍ର ଏବଂ ତାଙ୍କ ସହପାଠୀଙ୍କୁ ଏବେ ପୋଲାଣ୍ଡ ସୀମାରେ ଥିବା ଏକ ଆଶ୍ରୟସ୍ଥଳୀରେ ରଖାଯାଇଛି । ସେ ଭାରତ ଫେରିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଯୁଦ୍ଧବେଳେ ସେମାନେ କିଭଳି ଭୟ ଓ ଅନିଶ୍ଚିତତା ମଧ୍ୟରେ ଫସି ରହିଥିଲେ ଏବଂ ବଙ୍କରରେ ଆଶ୍ରୟ ନେଇଥିଲେ ତାହାର ଏକ ଭିଡିଓ ସତ୍ୟଶ୍ରୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ମେଡିକାଲ ପଢିବାକୁ ୟୁକ୍ରେନ ଯାଇଥିବା ସତ୍ୟଶ୍ରୀ ଯୁଦ୍ଧ ଯୋଗୁଁ ସେଠାରେ ନିଜ ସହପାଠୀଙ୍କ ସହ ଫସି ରହିଥିଲେ । ପୋଲାଣ୍ଡ ସୀମାରେ ଆଶ୍ରୟ ନେବା ପୂର୍ବରୁ ସେ ତାଙ୍କୁ ଏବଂ ତାଙ୍କ ବନ୍ଧୁମାନଙ୍କୁ ଉଦ୍ଧାର କରିବା ପାଇଁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିବେଦନ କରିଥିଲେ । ଏପରିକି କିଭଳି ସେ ରହୁଥିବା ଆପାର୍ଟମେଣ୍ଟର ବଙ୍କରରେ ଆଶ୍ରୟ ନେଇଛନ୍ତି ତାହା ମଧ୍ୟ କହିଥିଲେ ।
ସେ କହିଥିଲେ, ଋଷ ସେନାର ଭୟଙ୍କର ଆକ୍ରମଣ ନେଇ ସମସ୍ତେ ସେଠାରେ ଖୁବ୍ ଭୟଭୀତ ଅଛନ୍ତି । ଅନେକ ପିଲା ଏଭଳି ପ୍ରତିକୂଳ ପରିସ୍ଥିତିରେ ସାହାଯ୍ୟ ନ ପାଇ ଧର୍ଯ୍ୟହରା ହୋଇପଡିଛନ୍ତି । ୟୁକ୍ରେନ ଛାତ୍ରଛାତ୍ରୀଙ୍କ ସମେତ ଭାରତୀୟ ଛାତ୍ରଛାତ୍ରୀ ଜୀବନ ବଞ୍ଚାଇବାକୁ ବଙ୍କରରେ ଆଶ୍ରୟ ନେଇଛନ୍ତି । ଚାରିଆଡେ ଋଷ ସେନା ବୋମା ଓ ଗୁଳି ମାଡ କରୁଛି । ଏଣୁ ସେମାନଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ