ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ଼ ସଂକ୍ରମଣକୁ ନେଇ ନିଆଯିବାକୁ ଯାଉଛି ସତର୍କତା ମୂଳକ ପଦକ୍ଷେପ | ସମସ୍ତ ସେବାୟତ ମାନଙ୍କର ଆସନ୍ତା 27ତାରିଖ ଠାରୁ ଆରମ୍ଭ ହେବ କୋଭିଡ଼ ଟେଷ୍ଟ | ଏନେଇ ବିଭିନ୍ନ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ପଠାଯାଇଛି |
କୋଭିଡ ସଂକ୍ରମଣ ଭୟ ଓ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ବିହିନ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାପରେ ଏଭଳି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି | ଆଗାମୀ ଦିନରେ ମହାପ୍ରଭୁଙ୍କ ନୀତି ଯେପରି ପ୍ରଭାବିତ ନହୁଏ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟତଃ ଏଭଳି ପଦକ୍ଷେପ ନିଆଯାଉଛି | ତେବେ ବୁଧବାର ସେବାୟତଙ୍କ କୋଭିଡ ଟେଷ୍ଟ ହେବ । ଦୈନିକ 50 ଜଣଙ୍କର ଆର୍ଟିପିସିଆର ଟେଷ୍ଟ ହେବ । ବଡ଼ ଦାଣ୍ଡରେ ଥିବା ହିନ୍ଦୀ ବିଦ୍ୟାପୀଠରେ କରାଯିବ ଏହି ଟେଷ୍ଟ ।
ଜାନୁଆରୀ 27ରୁ 31 ପର୍ଯ୍ୟନ୍ତ ସୁଆର ମହାସୁଆର ନିଯୋଗ, ଫେବୃଆରୀ 1 ଓ 2 ପୁଷ୍ପାଳକ ନିଯୋଗ, ଫେବ୍ରୁଆରୀ 3 ରୁ 5 ପୂଜାପଣ୍ଡା ନିଯୋଗ, 6 ରୁ 10 ପ୍ରତିହାରୀ ନିଯୋଗ, 11 ଓ 12 ଦଇତାପତି ନିଯୋଗ, 13 ରୁ 15 ଗରାବଡୁ ନିଯୋଗ, 16 ଓ 17 ଖୁଣ୍ଟିଆ ନିଯୋଗ, 18 ରେ ସୁଆର ବଡୁ ଓ ବଡୁ ସୁଆର ନିଯୋଗ, 19ରେ ବିମାନବଡୁ ନିଯୋଗ, 20ରେ ପାଣିଆ ଆପଟ, ଦତ୍ତ ମହାପାତ୍ର, ଘଟୁଆରୀ, ଟାହିଆ, ଶୁଦ୍ଧ ସୁଆର, ଦେଉଳକରଣ ଓ ମୁଦୁଲି ନିଯୋଗ, 21ରେ ମହାଜନ, 22ରେ ପାଟରା ନିଯୋଗ, 23ରେ ଚୁନରା, 24ରେ ମେକାପ,25ରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ କର୍ମଚାରୀ, 26 ରେ ମନ୍ଦିର ଶାଖା କାର୍ଯ୍ୟାଳୟ ଓ ପରିମଳ କର୍ମଚାରୀ, 27 ଓ 28 ରେ ଭକ୍ତ ନିବାସ କର୍ମଚାରୀ, ମାର୍ଚ୍ଚ 1ରେ ଯେଉଁ ସେବକ ରହିଯାଇଥିବେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ ।ସମୁଦାୟ 2500 ସେବକ ଓ 500 କର୍ମଚାରୀଙ୍କ ହେବ ଟେଷ୍ଟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ