ପୁରୀ: ପୁରୀ ବେଳାଭୂମିରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବ୍ଲୁ ଫ୍ଲାଗ ବିଚ୍ କାର୍ଯ୍ୟ । ଭାରତରେ 13ଟି ବ୍ଲୁ ଫ୍ଲାଗ ବିଚ୍ ପ୍ରୋଜେକ୍ଟ ଚାଲିଥିବା ବେଳେ ପୁରୀ ବେଳାଭୂମି ସେଥିମଧ୍ୟରୁ ଅନ୍ୟତମ । ତେବେ ପୁରୀରେ ବ୍ଲୁ ଫ୍ଲାଗ ବିଚ୍ କାର୍ଯ୍ୟ ଶେଷ ହୋଇଥିବା ବେଳେ ଡେନମାର୍କର ଏକ ସଂସ୍ଥା ପକ୍ଷରୁ ମିଳିବ ଏହି ବ୍ଲୁ ଫ୍ଲାଗ ବିଚ୍ର ମାନ୍ୟତା । ଏଥିପାଇଁ ସଂସ୍ଥା ପକ୍ଷରୁ ଦିଆଯାଇଥିବା 33ଟି ମାନଦଣ୍ଡକୁ ପୂରଣ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଚଳାଇଛନ୍ତି ଜୋରସୋର ପ୍ରୟାସ । ଅନ୍ୟପଟେ ଅନ୍ତର୍ଜାତୀୟ ବେଳାଭୂମିରେ ଥିବା ସମସ୍ତ ସୁବିଧା ବ୍ଲୁ ଫ୍ଲାଗ ବିଚରେ ଉପଲବ୍ଧ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିବ ବୋଲି ଆଶା କରାଯାଉଛି ।
ପୁରୀର ପାନ୍ଥ ନିବାସ ନିକଟରେ ଥିବା ବେଳାଭୂମିରେ ଶେଷ ହୋଇଛି ବ୍ଲୁ ଫ୍ଲାଗ ବିଚ୍ କାର୍ଯ୍ୟ । ସମୁଦ୍ର ବେଳାଭୂମିରେ କରଯାଇଛି ଇକୋ ଫ୍ରେଣ୍ଡଲି ବ୍ୟବସ୍ଥା । ଏଥିପାଇଁ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ବାଉଁଶରେ ତିଆରି ହୋଇଛି ଅତ୍ୟାଧୁନିକ ଶୌଚାଳୟ ଓ ଚେଞ୍ଜିଂ ରୁମ । ସେହିପରି ବେଳାଭୂମିରେ କୁନି କୁନି ପିଲାଙ୍କ ଖେଳିବା ପାଇଁ ରହିଛି ଅନେକ ବ୍ୟବସ୍ଥା । ଫିଟନେସ ପାଇଁ ରହିଛି ଜିମର ବ୍ୟବସ୍ଥା । ପର୍ଯ୍ୟଟକଙ୍କ ପାଇଁ କରାଯାଇଛି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା । ପର୍ଯ୍ୟଟକମାନେ ବେଳାଭୂମିରେ ମଜା ନେବା ସହ ବସିବା ପାଇଁ ହୋଇଛି ଆକର୍ଷଣୀୟ ଡିଜାଇନର ବାଉଁଶ ଚେୟାର । ଏଥିସହ ସମୁଦ୍ରର ନୀଳ ଜଳ ରାଶିର ଦୃଶ୍ୟ ଉପଭୋଗ କରିବା ପାଇଁ କରାଯାଇଛି ବମ୍ବୁ ଟାୱାର। କେବଳ ସେତିକି ନୁହେଁ ସମ୍ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ପାଇଁ ରହିଛି ସିସିଟିଭିର ଛାଉଣୀ ।
ବିଶ୍ବସ୍ତରରେ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପୁରୀକୁ ସ୍ଥାନିତ କରିବା ପାଇଁ ଏହା ହେଉଛି ଏକ ସ୍ବତନ୍ତ୍ର ପ୍ରୟାସ । ପୁରୀ ବେଳାଭୂମିରେ ରାଜ ଭବନ ପଛପଟେ ଚାଲିଥିବା ବ୍ଲୁ ଫ୍ଲାଗ ବିଚ୍ କାର୍ଯ୍ୟ ଶେଷ ହୋଇ ସାରିଛି । ପୁରୀର ଗାନ୍ଧୀ ପାର୍କ ବେଳାଭୂମିଠାରୁ ମେ’ ଫେୟାର ହୋଟେଲ ବେଳାଭୂମିରେ କରାଯାଇଛି ଏହି ବ୍ଲୁ ଫ୍ଲାଗ ବିଚ୍ । ଯେଉଁଥିରେ ପର୍ଯ୍ୟଟକଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର, ପବ୍ଲିକ ଟଏଲେଟ, ପୋଷାକ ପରିବର୍ତ୍ତନ ଗୃହ, ସୋଲାର ଲାଇଟ ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ବିଘଟନ ପ୍ରକଳ୍ପ ସମେତ ଅନ୍ତର୍ଜାତୀୟ ବେଳାଭୂମିର ସୁବିଧା ରହିଛି । ଭାରତ ସରକାର ଓ ଅନ୍ତର୍ଜାତୀୟ ସମନ୍ବିତ ଉପକୂଳ ପରିଚଳନା ପ୍ରକଳ୍ପ ରେ ଏହି ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ ହୋଇଛି।
ଡେନମାର୍କର ଏକ ସଂସ୍ଥା 'ଫି'ର କର୍ମକର୍ତ୍ତା ପୁରୀ ଆସି ଅନୁଧ୍ୟାନ କରି ବ୍ଲୁ ଫ୍ଲାଗ ବିଚ୍ର 33 ଟି ମାନଦଣ୍ଡ ପୂରଣ କରୁଥିଲେ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ଦେବେ । ଡେନମାର୍କର ଫେଡେରସନ ଅଫ୍ ଏନଭାଇରମେଣ୍ଟ ଏଡୁକେସନ ନାମକ ସଂସ୍ଥା ବିଶ୍ବରେ ସର୍ବଶ୍ରେଷ୍ଠ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ଦେଇଥାଏ । ଏହି ମାନ୍ୟତା ଯେଉଁ ବେଳାଭୂମି ପାଇଥାଏ ସାରା ବିଶ୍ବରେ ଉକ୍ତ ବେଳାଭୂମିର ମର୍ଯ୍ୟାଦା ସ୍ବତନ୍ତ୍ର ରହିଥାଏ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ବାରା ଭାରତ ବିଭିନ୍ନ ରାଜ୍ୟର ସମୁଦ୍ର ଉପକୂଳରେ 13ଟି ବ୍ଲୁ ଫ୍ଲାଗ ବିଚ ପ୍ରୋଜେକ୍ଟ ରହିଛି । ତେବେ ବ୍ଲୁ ଫ୍ଲାଗ ବିଚ ସରିବା ପରେ 33 ଟି ସର୍ତ୍ତପୂରଣ କଲେ ଡେନମାର୍କର ଫି ସଂସ୍ଥା ଅନୁଧ୍ୟାନ କରି ବ୍ଲୁ ଫ୍ଲାଗ ମାନ୍ୟତା ଦେଇଥାଏ । ପୁରୀ ବେଳାଭୂମି ଏହି ମାନ୍ୟତା ପାଇଲେ ସାରା ବିଶ୍ବରେ ଏହା ବ୍ଲୁ ଫ୍ଲାଗ ବିଚ ନାମରେ ପ୍ରସିଦ୍ଧ ହେବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ