ପୁରୀ: ବଡ଼ଦାଣ୍ତର ମାର୍କେଟ ଛକ ଅଞ୍ଚଳରେ ଥିବା ବଗଲା ଧର୍ମଶାଳାକୁ ବିସ୍ଥାପିତଙ୍କୁ ବିକ୍ରି କରାଯିବାକୁ ନେଇ ଆରମ୍ଭ ହୋଇଛି ବିବାଦ। ଧର୍ମଶାଳା ଜମି ଭକ୍ତଙ୍କ ବ୍ୟବହାରରେ ଲଗାଇବା ପରିବର୍ତ୍ତେ ବିସ୍ଥାପିତ ହୋଇଥିବା ଲଜ୍ ମାଲିକଙ୍କୁ ବିକ୍ରି ହୋଇଥିବାରୁ ଏହାକୁ ବିଭିନ୍ନ ସ୍ତରରେ ବିରୋଧ କରାଯାଇଛି । ଏପରିକି ଏହି ଜମି ବିକ୍ରି ପ୍ରକ୍ରିୟା ବେଆଇନ ଦର୍ଶାଇ ଗତବର୍ଷ ଡିସେମ୍ବର ମାସରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିବାବେଳେ ଜିଲ୍ଲା ପ୍ରଶାସନକୁ ଏନେଇ ନୋଟିସ ମଧ୍ୟ କରାଯାଇଛି ।
ତେବେ ପ୍ରଶାସନ କୋର୍ଟଙ୍କ ଅଗୋଚରରେ ଚଳିତ ମାସ ୫ ତାରିଖରୁ ୧୨ ତାରିଖ ମଧ୍ୟରେ ୬ଟି ପ୍ଲଟକୁ ଜମି ଦଲାଲଙ୍କ ସହାୟତାରେ ଲଜ ମାଲିକଙ୍କୁ ବିକ୍ରି କରି ଏହାକୁ ବ୍ୟବସାୟିକ କାର୍ଯ୍ୟରେ ଲଗାଇଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ପୁରୀରେ ଭକ୍ତଙ୍କ ରହିବା ପାଇଁ ୧୯୦୫ ମସିହାରେ କହ୍ନେୟାଲାଲ ନାମକ ଜଣେ ବଦାନ୍ୟ ବ୍ୟକ୍ତି ବଗଲା ଧର୍ମଶାଳା ନିର୍ମାଣ କରି ଏହାକୁ ସର୍ବସାଧାରଣ ବ୍ୟବହାର ପାଇଁ ଦାନ କରିଥିଲେ । ଏହି ଧର୍ମଶାଳାକୁ ଗତ ୨୦୧୮ ମସିହାରେ ଭଙ୍ଗାଯାଇ ପ୍ରସାଦ ଯୋଜନାରେ ଏହାର ପୁନଃ ନିର୍ମାଣ ପାଇଁ ୧୮ କୋଟି ଟଙ୍କା ଆସିଥିଲା । ଗତବର୍ଷ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ଭିତ୍ତିଭୂମି ପ୍ରସ୍ତୁତି ସରିଥିବା ବେଳେ ଏହି ଯୋଜନାକୁ ରଦ୍ଧ କରାଯାଇ ଜମିକୁ ବିସ୍ଥାପିତ ଲଜ୍ ମାଲିକଙ୍କୁ ଦିଆଯାଇଛି । ସର୍ବସାଧାରଣ ବ୍ୟବହାର ପାଇଁ ଉଦ୍ଧିଷ୍ଟ ଦାନ ଜମିକୁ ବ୍ୟବସାୟିକ ବ୍ୟବହାର ପାଇଁ ବିକ୍ରି କରିବା ଆଇନସଙ୍ଗତ ନୁହେଁ ବୋଲି କୁହାଯାଇଛି । ତେଣୁ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଜମି ହରାଇଥିବା ଜମି ମାଲିକଙ୍କ ପାଇଁ ଅନ୍ୟତ୍ର ଜମି ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସହରର ବୁଦ୍ଧିଜୀବୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ