ପୁରୀ: ଆଜିଠୁ ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ସ୍ବତନ୍ତ୍ର ବ୍ୟବସ୍ଥା । ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଦେଇ ପୁରୀ ସହରବାସୀ ଶ୍ରୀମନ୍ଦିର ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏଥିପାଇଁ ପୁରୀ ସହର ବାସିନ୍ଦା ନିଜର ଆଧାର କାର୍ଡ , କୋଭିଡ ଡବଲ ଡୋଜ ଟିକା ସାର୍ଟିଫିକେଟ ଅବା କୋଭିଡ ନେଗେଟିଭ ଆରଟିପିସିଆର ରିପୋର୍ଟ ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ । ତେବେ ଏହି ବ୍ୟବସ୍ଥାକୁ ପୁରୀ ସହରବାସୀ ସ୍ବାଗତ କରିଛନ୍ତି ।
ପୂର୍ବରୁ ପୁରୀବାସୀ ବାହାରୁ ଆସୁଥିବା ଭକ୍ତଙ୍କ ସହ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଦର୍ଶନ ପାଇଁ ମନ୍ଦିରରେ ପ୍ରବେଶ କରୁଥିଲେ । ଏଥିପାଇଁ ବହୁ ବିଳମ୍ବ ହେଉଥିଲା । ସେହିପରି ମହାପ୍ରାସାଦ ଟିକେ ଆଣିବାକୁ ଦୀର୍ଘ ସମୟ ଲାଗୁଥିଲା । ପୁରୀରେ ଥିବା ବୟସ୍କ ଲୋକମାନେ ଲମ୍ଭା ଲାଇନରେ ଠିଆ ହୋଇ ମଧ୍ୟ ଶ୍ରୀମନ୍ଦିରକୁ ଯାଇ ପାରୁ ନଥିଲେ । ଯଦ୍ବାରା ପୁରୀରେ ତୀଵ୍ର ଅସନ୍ତୋଷ ଦେଖାଦେଇଥିଲା । ତେବେ ଏନେଇ ବିଭିନ୍ନ ସଙ୍ଗଠନ ଜିଲ୍ଲାପାଳଙ୍କୁ ଏହି ସମସ୍ୟା ସମାଧାନ ପୂର୍ବକ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବା ପାଇଁ ଦାବି କରି ଆସିଥିଲେ । ଏହାକୁ ପ୍ରଶାସନ ପକ୍ଷରୁ ବିଚାର କରାଯାଇ ଆଜିଠାରୁ କେବଳ ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲା ଯାଇଛି ।
ଏହି ନିଷ୍ପତ୍ତିକୁ ପୁରୀବାସୀ ସ୍ବାଗତ କରିଛନ୍ତି । ଏପଟେ ପୂର୍ବରୁ ଶ୍ରୀମନ୍ଦିରର ସମସ୍ତ ଦ୍ବାର ଯେଭଳି ଖୋଲା ଥିଲା, ସେହି ଅନୁଯାୟୀ ଖୋଲିବାକୁ କିଛି ଲୋକ ମତ ରଖିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ