ପୁରୀ: ମହାନଦୀରେ ବନ୍ୟାଜଳ ଆସିବା ପରେ ଏହାର ଶାଖା ନଦୀ ଦୟା, ଭାର୍ଗବୀ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ପୁରୀ ଉପକଣ୍ଠ ଏବଂ ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହେବାରେ ଲାଗିଛି । ଜିଲ୍ଲା ପ୍ରଶାସନ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛି ।
ପୁରୀ ସହରର ଏକ ନମ୍ବର ୱାର୍ଡ ସୁଜାତା ନଗର ସମେତ କଣାସ ବ୍ଲକ, ବ୍ରହ୍ମଗିରିର ବିଭିନ୍ନ ଗାଁ ଜଳମଗ୍ନ ହୋଇଛି । ତେବେ ହୀରାକୁଦରେ ଅଧିକ ଗେଟ ଖୋଲିବା ପରେ ଅଧିକ ବନ୍ୟା ଜଳ ଆସିବାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ବନ୍ୟା ଆଶଙ୍କାକୁ ନଜରରେ ରଖି ଏହାକୁ ମୁକାବିଲା କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ କରିଛି । ତେବେ ପୁରୀର ଏକ ନମ୍ବର ୱାର୍ଡ ସୁଜାତା ନଗରରେ ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ରହିଛି । ଆଉ କେଉଁଠି ଛାତିଏ ଉଚ୍ଚର ପାଣି । କିଏ ଗାମୁଛା ପିନ୍ଧି ଯାତାୟତ କରୁଛି ତ ଆଉ କିଏ ଟ୍ୟୁବ ସାହାଯ୍ୟରେ ଯାତାୟତ କରୁଛନ୍ତି । ପ୍ରବଳ ଲଘୁଚାପ ବର୍ଷା ପରେ ପୁରୀ ଉପକଣ୍ଠ ମଙ୍ଗଳା ନଦୀର ଜଳସ୍ତର ବୃଦ୍ଧି ପାଇ ନଦୀର ନିକଟ ଅଞ୍ଚଳ ସୁଜାତା ନଗରରେ ପଶିଛି ।
ମହାନଦୀ ବନ୍ୟା ଜଳ ଆହୁରି ଅଧିକ ପରିମାଣରେ ଆସୁଥିବା ଯୋଗୁଁ ଭାର୍ଗବୀ ନଦୀରେ ପାଣି ବଢିବାରେ ଲାଗିଛି । ଫଳରେ ମଙ୍ଗଳା ନଦୀରେ ଅଧିକ ଜଳ ଆସିଲେ ସୁଜାତା ନଗର ଅଞ୍ଚଳ ସମ୍ପୂର୍ଣ୍ଣ ବୁଡିଯିବାର ଅଶଙ୍କା ରହିଛି । ସ୍ଥାନୀୟ ଅଞ୍ଚଳରେ ବାସ କରୁଥିବା 5 ସହରରୁ ଅଧିକ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ମହାନଦୀରେ ବନ୍ୟା ଜଳ ଆସିବା ପରେ ପୁରୀ ଜିଲାର କଣାସ ବ୍ଲକ, ବ୍ରହ୍ମଗିରି ବ୍ଲକ ପ୍ରଭାବିତ ହୋଇଛି ।
ମହାନଦୀର ଶାଖା ଦୟା, ଭାର୍ଗବୀ ନଦୀରେ ଜଳ ସ୍ତର ବଢିବା ପରେ କଣାସ ବ୍ଲକର 5 ଟି ପଞ୍ଚାୟତ ତରପଡା, ବାଲିପାଟଣା , ବଗିପଡା, କଖାରୁଵସ୍ତ, ବଡାସ, ବୈଦ୍ୟନାଥପାଟଣା ଗାଁରେ ବନ୍ୟାଜଳ ପ୍ରବେଶ କରିଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଅଧିକ ବନ୍ୟାଜଳ ଆସିବାକୁ ଥିବାରୁ ଆତଙ୍କିତ ଅବସ୍ଥାରେ ଲୋକମାନେ ରହିଛନ୍ତି । ସେପଟେ ପୁରୀ ଉପଜିଲ୍ଲାପାଳ କହିଛନ୍ତି ସ୍ଥିତି ଉପରେ ନଜର ରହିଛି । ଗୁରୁତର ସ୍ଥିତି ହେଲେ ଲୋକଙ୍କୁ ଉଦ୍ଧାର ସହ ରିଲିଫ କାର୍ଯ୍ୟ ପାଇଁ ବନ୍ଦୋବସ୍ତ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ