ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ ଶୈଳୀ ଯେତିକି ନିଆରା ସେତିକି ରହସ୍ୟମୟ । ୨୦ ଇଞ୍ଚର ହାତକାଠି ମାପରେ ତିଆରି ହୁଏ ମହାପ୍ରଭୁଙ୍କ ବିଶାଳ ରଥ । ଆଉ ରଥ ନିର୍ମାଣ ବେଳେ ଚଳଚଞ୍ଚଳ ହୋଇଉଠେ ରଥଖଳା । ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିନ୍ତି ବିଶ୍ଵକର୍ମା ମହାରଣା । ପାରମ୍ପରିକ ନିର୍ମାଣକାରୀ ସାମଗ୍ରୀ, ନିହାଣ, ମୁଗୁର, ବାରିସୀରେ ଚାଲେ ରଥ ନିର୍ମାଣ କାର୍ଯ୍ୟ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ମହାପ୍ରଭୁଙ୍କ ବିଶାଳ ରଥ ଏକ ୨୦ ଇଞ୍ଚର ହାତକାଠିର ମାପ ନିଆଯାଇ ତିଆରି କରାଯାଏ । ବିନା କୌଣସି ଆଧୁନିକ ଯନ୍ତ୍ରପାତିରେ ମାପଚୁପ କରାନଯାଇ କେଉଁ ଆବାହମାନ କାଳରୁ ଏହି ୨୦ ଇଞ୍ଚ ହାତକାଠି ସାହାଯ୍ୟରେ ତିଆରି ହୋଇଆସୁଛି ମହାପ୍ରଭୁଙ୍କ ରଥ ।
ତେବେ ଏହି ହାତକାଠିରେ ରଥ ନିର୍ମାଣ କରାଯାଉଥିଲେ ହଁ ଆଜି ପର୍ଯ୍ୟନ୍ତ କୌଣସି ତ୍ରୁଟି ହୋଇନାହିଁ । ବିଶ୍ଵକର୍ମା ମହାରଣାଙ୍କ କହିବାକଥା ରଥ ନିର୍ମାଣ କାର୍ଯ୍ୟ ନିଜେ ସ୍ବୟଂ ମହାପ୍ରଭୁ ହିଁ କରିଥାନ୍ତି । ଆମେ ନିମିତ ମାତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ତିନି ରଥ ପାଇଁ ବିଶ୍ବକର୍ମା ମହାରଣାଙ୍କ ପାଖରେ ରହିଛି ତିନୋଟି ହାତକାଠି । ଏହି କୁହୁକ ବାଡ଼ିର ନିର୍ଦ୍ଦେଶର ତିନୋଟି ବିଶାଳକାୟ ରଥ ନିର୍ମାଣ ହେଉଛି । ହାତକାଠିରେ ରହିଛି ଆଙ୍ଗୁଳି ସହ ଟିପ ଚିହ୍ନ। ଏଥିରେ ଲୁଚିଛି ରଥ ନିର୍ମାଣର ପୁରା କୌଶଳ । ଚକର ତୁମ୍ବ ଅନୁକୂଳ ଠାରୁ ଆରମ୍ଭ କରି ଅଖ, ଦଣ୍ଡା, ନିରାଡି, ପାର୍ଶ୍ବ ମୁଂହାଟ, ଚକ, ଅଖ ପର୍ଯ୍ୟନ୍ତ ଏହି ହାତକାଠି ମାପରେ ନିର୍ମାଣ ହୋଇଥାଏ ।
ଏହା ବି ପଢନ୍ତୁ- Rathakhala Halchal: ଚାଲିଛି ପନ୍ଦାରି ବଳା ନିର୍ମାଣ, ଶେଷ ପର୍ଯ୍ୟାୟରେ ତୁମ୍ବ ବିନ୍ଧ କାର୍ଯ୍ୟ
ଏହି ହାତକାଠିର ଯାଦୁଗାରୀ ଶକ୍ତିରେ ରଥର ଚକ ଠାରୁ ଦଧିନଉତି ପର୍ଯ୍ୟନ୍ତ ତିଆରି ହୋଇଥାଏ। ବିଶ୍ଵକର୍ମା ମହାରଣାଙ୍କ କହିବା କଥା ରଥ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ସବୁକିଛି ଏହି ହାତକାଠି ନିର୍ଦ୍ଦେଶରେ ସମ୍ପନ୍ନ ହୋଇଥାଏ । ଇଏ ହେଉଛି ସେହି କୁହୁକ ବାଡ଼ି । ଯାହାର ନିର୍ଦ୍ଦେଶରେ ନିର୍ମାଣ ହୁଏ ମହାପ୍ରଭୁଙ୍କ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥ । ଏହି ହାତକାଠିରେ ଲୁଚିଛି ରଥ ନିର୍ମାଣର ପୁରା କୌଶଳ। ରଥର ଚକ ଠାରୁ ଦଧିନଉତି ପର୍ଯ୍ୟନ୍ତ ସବୁକିଛି କାର୍ଯ୍ୟ ଏହି ୨୦ ଇଞ୍ଚର ହାତକାଠି ମାପରେ ହୋଇଥାଏ। ତେବେ ମହାପ୍ରଭୁଙ୍କ ରଥ ନିର୍ମାଣକୁ ନେଇ ନିଜେ ବିଶ୍ବକର୍ମା ମହାରଣାମାନେ ମଧ୍ୟ ଚକିତ ହେଉଥିବା ବେଳେ ସବୁସେଇ ମହାପ୍ରଭୁଙ୍କ ଦ୍ବାରା ସମ୍ଭବ ବୋଲି ସେବାୟତମାନେ ଅଖଣ୍ଡ ବିଶ୍ବାସ ରଖିଛନ୍ତି ।
ଏନେଇ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ବକର୍ମା ବିଜୟ ମହାପାତ୍ର କୁହନ୍ତି, "ଏପରି ରଥ ନିର୍ମାଣ ବିଶ୍ବରେ ଆଉ କେଉଁଠି ହୁଏନାହିଁ । ଆମେ ୨୦ ଇଞ୍ଚର ହାତକାଠି ସାହାଯ୍ୟରେ ରଥ ନିର୍ମାଣ କରିଥାଉ । ତେବେ ଆଜି ଯେଉଁ କାଠ ରଥରେ ଲାଗେ, ପରବର୍ତ୍ତୀ ସମୟରେ ତା'ର ମାପ ମଧ୍ୟ ବଢିଯାଏ । ଯାହାକି ଆଶ୍ଚର୍ଯ୍ୟ । ଏଥିଲାଗି ମହାପ୍ରଭୁଙ୍କ ଏହି ରଥ ମହାନ ।"
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ