ପୁରୀ: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ନିମନ୍ତେ ଆଜି(ମଙ୍ଗଳବାର) ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପୂର୍ବରୁ ଜାରି ହୋଇଥିବା କଟକଣା (କର୍ଫ୍ୟୁ ଏବଂ ସଟଡାଉନ୍)କୁ ପ୍ରତ୍ୟାହାର କରି ନିଆଯାଇଛି । ମାତ୍ର କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଏହି କଟକଣା ଆସନ୍ତା ୧୪ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଶ୍ରୀଜୀଉମାନଙ୍କ ଆଡପ ମଣ୍ତପ ବିଜେ ପହଣ୍ତି ନିମନ୍ତେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳରେ ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିବ । ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି । କେବଳ ସ୍ବୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରିଥିବା ଗାଡିକୁ ଛାଡିଦେଲେ ଅନ୍ୟଗାଡିଗୁଡିକ ଯିବା ଆସିବା ଉପରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ । ଏଥିନିମନ୍ତେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ