ପୁରୀ: ନୂଆବର୍ଷରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଓ ଯଜ୍ଞ ପୂଜା ବିଧି ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯଜ୍ଞ, ସଂକୀର୍ତ୍ତନ ଓ ବେଦପାଠ ପାଇଁ ଗଠିତ ତିନୋଟି ସବକମିଟିର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି । ଯଜ୍ଞ ପାଇଁ ୧୦୮ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହେବେ । ତନ୍ମଧ୍ୟରୁ କେବଳ ୬୦ ଜଣ ବ୍ରାହ୍ମଣ ଚାରିଦ୍ବାରରେ ବେଦ ପାରାୟଣ କରିବେ । ସେହିପରି ସଂକୀର୍ତ୍ତନ ପାଇଁ ୧୦୦ ଜଣ ବ୍ରାହ୍ମଣ ନିୟୋଜିତ ହେବେ । ୧୨ ତାରିଖ ସନ୍ଧ୍ୟାରେ ଶ୍ରୀନହରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ।
ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶ କ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ। ଗୁଆ ଟେକା ଉତ୍ସବରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ଅଧିକାରୀ, ଷୋଳ ଶାସନର ବ୍ରାହ୍ମଣ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭାର ପ୍ରତିନିଧି ଉପସ୍ଥିତ ରହିବେ। ଏଥିପାଇଁ ବିଭିନ୍ନ ବିଭାଗର କାର୍ଯ୍ୟ ସମ୍ପାଦନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୈଠକରେ ଆଲୋଚନା ହୋଇଛି । ନିଷ୍ଠା, ଭକ୍ତି ଓ ପବିତ୍ରତାର ସହିତ ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କୁ ଗଜପତି ମହାରାଜା ପରାମର୍ଶ ଦେଇଛନ୍ତି ।
ଆସନ୍ତା ଜାନୁଆରୀ ୧୨ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐସାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ । ୧୭ ତାରିଖରେ ପୂର୍ଣ୍ଣାହୁତି ହେବ । ଏହି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ଓ ନିମନ୍ତ୍ରିତ ଅତିଥି ଯୋଗଦେବେ । ପ୍ରଥା ଓ ପରମ୍ପରା ଅନୁଯାୟୀ ୧୭ ତାରିଖରେ ଗଜପତିଙ୍କ ଦ୍ବାରା ଶଙ୍କରାଚାର୍ଯ୍ୟଙ୍କ ପାଦୁକାପୂଜା କରାଯିବ ।
ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଅନେକ ମାନଗଣ୍ୟ ବ୍ୟକ୍ତି ଓ ଧର୍ମଗୁରୁଙ୍କୁ ନିମନ୍ତ୍ରିତ କରାଯିବ । ଏଥିପାଇଁ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି । ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ମହାପ୍ରଭୁଙ୍କ ପରେ ପ୍ରଭୁ ନୃସିଂହ, ମାଆ ବିମଳା, ମାଆ ମଙ୍ଗଳା ଓ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚୁପାଣ୍ଡବଙ୍କୁ ନିମନ୍ତ୍ରଣ କରାଯାଇଛି ।
ଇଟିଭି ଭାରତ, ପୁରୀ