ପୁରୀ: ଆସନ୍ତା 23ରେ ପୁରୀ ଲୋକସଭା ନିର୍ବାଚନ। ଏଥିପାଇଁ କାଉଣ୍ଡଡାଉନ ଆରମ୍ଭ ହୋଇଯାଇଥିବାବେଳେ ପୁରୀରୁ ବିଜେପିର ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ଶନିବାର ସମ୍ବିତ ପୁରୀ ସଦର ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ‘ବିଜୟୀ ପରେ ବିକାଶ ହିଁ ମୂଳ ଲକ୍ଷ୍ୟ’
ଭୋଟ ମାଗିବା ସହ ଦଳର କର୍ମୀଙ୍କ ସହ ବାଇକ ରାଲି କରି ନିର୍ବାଚନ କ୍ୟାମ୍ପେନ ଚଳାଇଛନ୍ତି। ଗୁରୁଜନଙ୍କ ପାଦରେ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି। ସେହିପରି ଗରିବ ଲୋକଙ୍କ ଘରେ ପହଞ୍ଚି ସୁଖଦୁଃଖ ବୁଝିବା ସହ ସେ ନିର୍ବାଚନ ଜିତିଲେ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାର ସଠିକ ରୂପାନ୍ତରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପୁରୀରେ ଅନେକ ଗରିବ ଲୋକଙ୍କ ଘର ଭାଙ୍ଗି ରୁଜି ଯାଇଛି କିନ୍ତୁ ଏନେଇ ନବୀନ ସରକାର ଗରିବ ଲୋକଙ୍କୁ ସାହାଯ୍ୟ ନ କରିବା ଅତ୍ୟନ୍ତ ଲଜ୍ଜା ଜନକ ବୋଲି ସମ୍ବିତ କହିଛନ୍ତି। ଦୀର୍ଘ 19 ବର୍ଷ ଶାସନରେ ଥିବା ବିଜେଡିର ଦୁର୍ନୀତି ଖୋର ଗୁଣ ଯୋଗୁଁ ଗରିବ ଲୋକ ସରକାରଙ୍କ ସୁବିଧାରୁ ବଞ୍ଚିତ ହେଉଥିବା ସେ ଅଭିଯୋଗ କରିଛନ୍ତି।
ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେଲେ ଗରିବ ଲୋକଙ୍କୁ ମାଗଣାରେ ପକ୍କା ଘର ସହ ବିଭିନ୍ନ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସମ୍ବିତ କହିଛନ୍ତି। ତେବେ ଏଥର ରାଜ୍ୟବାସୀ ପରିବର୍ତ୍ତନ ନେଇ ମନ ସ୍ଥିର କରି ସାରିଥିବାବେଳେ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଗଢ଼ିବ ବୋଲି ସମ୍ବିତ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ