ପୁରୀ: ହାତୀ ଆକ୍ରମଣରେ ମୃତ୍ୟୁ ଘଟଣାକୁ ନେଇ ଓଡିଶା ମାନବ ଅଧିକାର ଆୟୋଗର ଦ୍ବାରସ୍ଥ ହୋଇଛନ୍ତି ମାନବାଧିକାର କର୍ମୀ । ବନ ବିଭାଗକୁ ଦାୟୀ କରିଏକ ପିଟିସନ ଦାଖଲ କରିଛନ୍ତି ରାଜ୍ୟ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ।
ବନ ବିଭାଗ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ 4ଟି ଜୀବନ ଚାଲି ଯାଇଥିବା ପିଟିସନରେ ଦର୍ଶାଯାଇଛି । ଜଙ୍ଗଲ ବିଭାଗର ପ୍ରମୁଖ ସଚିବଙ୍କ ସହ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାପାଳଙ୍କୁ 2 ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ମାନବ ଅଧିକାର ଆୟୋଗଙ୍କୁ ଅନୁରୋଧ କରିଛନ୍ତି । ମାନବାଧିକାର କର୍ମୀ ପ୍ରଶ୍ନ କରିଛନ୍ତି ଯେ କିଭଳି ଭାବରେ ଖୋର୍ଦ୍ଧା ଓ ପୁରୀ ବନ ବିଭାଗ ଜାଣିପାରିଲାନାହିଁ ହାତୀର ଚଲାପଥ।
ପିପିଲି ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲା ନରହନ୍ତା ହାତୀ । ଏହି ଆକ୍ରମଣରେ 4 ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଗୁରୁତର ହୋଇଛନ୍ତି।
ଦୀର୍ଘ ସମୟ ଧରି ହାତୀଟି ସାଧାରଣ ଲୋକଙ୍କ ନିକଟରେ ରହି 4 ଜଣଙ୍କୁ ଦଳି ମାରିଥିଲା । ପରେ ବନ ବିଭାଗ ମଧ୍ୟ ନରହନ୍ତା ହାତୀକୁ ଘଉଡାଇବାକୁ ନାକେଦମ ହୋଇଥିଲା । ଏହି ସମସ୍ତ ଘଟଣାକୁ ନେଇ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଏନେଇ ଏକ ପିଟିସନ ଦାଖଲ କରିଛନ୍ତି । କମିଶନରଙ୍କୁ ଅନୁରୋଧ କରିଛନ୍ତି ଯେ, ମୃତକଙ୍କ ପରିବାରକୁ ଦିଆଯାଇଥିବା 4ଲକ୍ଷ ଟଙ୍କାର କ୍ଷତିପୂରଣ ରାଶିକୁ ବୃଦ୍ଧି କରି 10 ଲକ୍ଷ କରାଯାଉ ଏବଂ ଗୁରୁତର ଭାବରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉ ।
ଏଥିସହିତ ଦାୟିତ୍ବରେ ଖିଲାପ କରିଥିବା ବନବିଭାଗ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ