ପୁରୀ: ଶ୍ରୀମନ୍ଦିରରେ ଶୁକ୍ରବାରଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ପଞ୍ଚୁକ ନୀତି । ଯୁଗ ମଧ୍ୟରେ ସତ୍ୟ ଯୁଗ ଯେମିତି ଶ୍ରେଷ୍ଠ ଯୁଗ ସେହିପରି ମାସ ମଧ୍ୟରେ କାର୍ତ୍ତିକ ମାସକୁ ସବୁଠାରୁ ଶ୍ରେଷ୍ଠ ମାସ ବା ଧର୍ମ ମାସ କୁହାଯାଏ । ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବହୁ ଗୁରୁତ୍ବ ରହିଛି । ଏହା ଦାନ, ଧର୍ମ ଓ ପୁଣ୍ୟର ମାସ । ଏନେଇ ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ଠୁ ସହର ପର୍ଯ୍ୟନ୍ତ ସମସ୍ତେ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । କୁହାଯାଏ ଏହା ଧର୍ମ ମାସ ହୋଇଥିବାରୁ ବଗ ମଧ୍ୟ ମାଛ ଖାଏ ନାହିଁ । ସେହିପରି ଏହି ଧର୍ମମାସ ପାଳୁଥିବା ଶ୍ରଦ୍ଧାଳୁ ଏକ ମାସ ଆମିଷକୁ ବାରଣ କରି ସାତ୍ତ୍ବିକ ଭୋଜନ ଗ୍ରହଣ କରନ୍ତି ।
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଏ । ଏହା ମହାପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବା ବିଷ୍ଣୁପଞ୍ଚକ ଭାବେ ମଧ୍ୟ ଜଣା । ଏହି ଶେଷ ପାଞ୍ଚ ଦିନ ସବୁଠାରୁ ପବିତ୍ର ବୋଲି ମନେ କରାଯାଏ । ଅନ୍ୟପଟେ ଶେଷ ପାଞ୍ଚଦିନ କାର୍ତ୍ତିକ ବ୍ରତ ପାଳନ କରି ସମାନ ପୁଣ୍ୟ ଅର୍ଜନ କରିଥାନ୍ତି ବୋଲି ବିଶ୍ବାସ ରହିଛି । ଏହି ସମୟରେ ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁକା ପୂଜା ଇତ୍ୟାଦି କରାଯାଏ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ସାତ୍ତ୍ବିକ ଭୋଜନ ଆହାର କରିଥାନ୍ତି ।
କାର୍ତ୍ତିକ ମାସର ପଞ୍ଚୁକ ୫ଦିନ ପୁରୀରେ ହବିଷ୍ୟାଳିଙ୍କ ଜମିଥାଏ ଭିଡ । ଏହି ଅବସରରେ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ । ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ , ଦ୍ଵାଦଶୀରେ ବାଙ୍କ ଚୁଡ ବେଶ , ତ୍ରୟୋଦଶୀରେ ତ୍ରି ବିକ୍ରମ ବେଶ , ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ରାଜ ରାଜେଶ୍ବର ବେଶ ଅନୁଷ୍ଠିତ ହୋଇଥାଏ । ତେବେ ପଞ୍ଚୁକରେ ମହାପ୍ରଭୁଙ୍କ ଏହି ବେଶ ଯିଏ ଦର୍ଶନ କରେ ସେ ଅପାର ଆନନ୍ଦ ସହ ଦିବ୍ୟଗତି ଲାଭ କରନ୍ତି ବୋଲି ବିଶ୍ବାସ ରହିଛି ।
ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟେ । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ବ୍ରତଧାରୀ ମାନେ ସକାଳୁ ସମୁଦ୍ରରେ ସ୍ନାନ କରି ଚଉରା ମୂଳେ ସଂକଳ୍ପ ନେଇ କାର୍ତ୍ତିକ ବ୍ରତ ଆରମ୍ଭ କରିଥାନ୍ତି । ଏକ ମାସ ଧରି ନିଷ୍ଠାର ସହ ମହାପ୍ରସାଦ ସେବନ କରି ଚଉରା ମୂଳେ ରାଇ ଦାମୋଦର ପୂଜା କରି କାର୍ତ୍ତିକ ବ୍ରତ ପାଳନ କରନ୍ତି । ଧୁଆ ମୁଗ,ପାଚିଲା କଦଳୀ ଓ ସେଓ ଆଦି ଫଳମୂଳ ଭୋଗ ଲଗାଇ ରାଧା ଦାମୋଦରଙ୍କୁ ମାସ ସାରା ପୂଜା କରିବେ ବ୍ରତଧାରୀ । ତେବେ ହବିଷ୍ୟାଳିଙ୍କ ପାଇଁ ପ୍ରତି ବର୍ଷ ସରକାରଙ୍କ ତରଫରୁ ରହିବା ବ୍ୟବସ୍ଥା କରାଯାଏ । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ହେତୁ ହବିଷ୍ୟାଳିଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ନାହିଁ। ସେହିପରି କୌଣସି ମଠ ମନ୍ଦିରରେ ହାବିଷ୍ୟାଳିଙ୍କୁ ନ ରଖିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି ।
ତେବେ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ସେହିଦିନ ରାତ୍ର ୧୨ଟା ୧୦ ରେ ଦ୍ବାର ଫିଟା ଓ ରାତ୍ର ୨ଟା ୩୦ ସୁଦ୍ଧା ସୁନାବେଶ ବା ରାଜାଧିରାଜ ବେଶ ଶେଷ ହେବ। ଭୋର ୫ଟା ୫୦ ମିନିଟରେ ଭୋଗମଣ୍ଡପ ଶେଷ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ତେଣୁ ଭକ୍ତମାନେ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ବୋଲି ଆଶଙ୍କା କରାଯାଉଛି।
ତେବେ ପଞ୍ଚୁକ ପାଞ୍ଚଦିନ ପୁରୀରେ ଶ୍ରୀମନ୍ଦିରରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ମର୍ଚ୍ଚିକୋଟ ଛକ ଠାରୁ ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ମଧ୍ୟରେ ଭକ୍ତ ମାନେ ଶୃଙ୍ଖଳାର ସହ ଆସି ସିଂହଦ୍ବାରରେ ପ୍ରବେଶ କରି ଓ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ।
ଏହା ମଧ୍ୟ ପଢନ୍ତୁ - କଟକରେ ସୁରୁଖୁରୁରେ ଶେଷ ହେବ କାର୍ତ୍ତିକେଶ୍ବର ପୂଜା: ଡିସିପି
ସେହିପରି ମର୍ଚ୍ଚିକୋଟ ଛକ ଠାରେ ପୁରୀ ପୌରସଂସ୍ଥା ପକ୍ଷରୁ ଜୋତା ଷ୍ଟାଣ୍ଡ କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତର, ବାହାର, ବଡଦାଣ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମୁଦାୟ ୨୬ ପ୍ଲାଟୁନ ପୋଲିସ ଫୋର୍ସ, ୬ ଅତିରିକ୍ତ ଏସପି, ୧୨ ଡିଏସପି, ୨୪ ଇନ୍ସପେକ୍ଟର, ୧୦୦ ଏଏସଆଇ ଓ ଏସଆଇ, ୩ ଶହ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ। ସେହିପରି ସମୁଦ୍ରକୂଳ ଅଞ୍ଚଳରେ ମଧ୍ୟ କଡା ପାଟ୍ରୋଲିଙ୍ଗ ସହ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ଓ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଇଟିଭି ଭାରତ, ପୁରୀ