ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ପଞ୍ଚୁଦୋଳ ମେଳଣ ୨୦୦ ବର୍ଷର ପରମ୍ପରାକୁ ଉଜ୍ଜୀବିତ କରି ରଖିଛି । ଓଡ଼ିଶାର ଏହା ହେଉଛି ଏକମାତ୍ର ମେଳଣ ଯାତ୍ରା, ଯେଉଁଠାରେ ପଞ୍ଚୁ ପାଣ୍ଡବ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ ଆଦି ପାଞ୍ଚ ଭାଇଙ୍କୁ ଗୋଟିଏ ସ୍ଥାନରେ ଭକ୍ତମାନେ ଦର୍ଶନ କରିବା ସହିତ ହରିହରଙ୍କର ୧୦୮ ଦୋଳ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି ।
ଏହି ମେଳଣ ତିନି ଦିନ ଧରି ଚାଲିଥାଏ । ବ୍ରହ୍ମଗିରି ଗ୍ରାମରେ ଅନୁଷ୍ଠିତ ହେଉଥିବା ପଞ୍ଚୁଦୋଳ ମେଳଣରେ ବ୍ରହ୍ମଗିରିର ଅଧିଷ୍ଠାତା ଗୋପୀନାଥ ଦେବ ମେଳଣର ସ୍ଥାନପତି ଆସନ ଗ୍ରହଣ କରିଥାନ୍ତି । ପ୍ରଥମ ଦିନରେ ପଞ୍ଚୁ ପାଣ୍ଡବ ପାଞ୍ଚ ଭାଇ ଦୋଳ ବିମାନରେ ଆସି ଗୋପୀନାଥ ଦେବଙ୍କ ମନ୍ଦିରରେ ପହଞ୍ଚିଥାନ୍ତି । ସେଠାରେ ଗୋପୀନାଥଙ୍କ ସହିତ ପାଞ୍ଚ ଭାଇଙ୍କୁ ଭୋଗ ଲାଗି ହୋଇଥାଏ । ଭୋଗଲାଗି ପରେ ନାଗା, ମେଢ଼, ପାଇକ ଖେଳ ସହିତ ନାମ ସଂକୀର୍ତ୍ତନ ଓ ସୁସଜ୍ଜିତ ଆଲୋକ ମାଳାରେ ମେଳଣ ପଡିଆକୁ ସର୍ବ ପ୍ରଥମେ ମେଳଣର ସ୍ଥାନପତି ଗୋପୀନାଥ ଦେବ ପ୍ରବେଶ କରନ୍ତି । ତାଙ୍କ ପଛରେ ପାଣ୍ଡବମାନଙ୍କୁ ମେଳଣ କମିଟି ପକ୍ଷରୁ ପାଛୋଟି ନିଆଯାଏ । ଏମାନଙ୍କ ପଛରେ ଅନ୍ୟ ଠାକୁରଙ୍କ ଦୋଳ ମେଳଣ ପଡିଆକୁ ପ୍ରବେଶ କରିଥାଏ ।
ଏହାର ପରଦିନ ମେଳଣର ସଭାପତି ମଉଡ଼ମଣି ଐଶାନେଶ୍ବର ମେଳଣ ପଡିଆକୁ ଆସିଥାନ୍ତି । ବାଜା, ରୋଷଣୀ, ସଂକୀର୍ତ୍ତନ ଓ ବାଣ ସହିତ ପାଇକ ଖେଳରେ ହଜାର ହଜାର ଭକ୍ତଙ୍କ ସମାଗମ ସହ ଏକାଧିକ ଦୋଳ ବିମାନଙ୍କ ପାଟ ପଟୁଆରରେ ମେଳଣର ସଭାପତି ପଞ୍ଚୁଦୋଳ ମେଳଣ ପଡିଆକୁ ପ୍ରବେଶ କରିଥାନ୍ତି । ପଞ୍ଚୁ ପାଣ୍ଡବଙ୍କୁ ଏକ ସ୍ଥାନରେ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିବା ପାଇଁ ତିନି ଦିନ ଧରି ଲକ୍ଷଲକ୍ଷ ଭକ୍ତଙ୍କର ଭିଡ଼ ଲାଗିଥାଏ । ଭକ୍ତ ମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ବ୍ରହ୍ମଗିରି ମେଳଣ କମିଟି ୧୫ ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି । ସେମାନଙ୍କୁ ସ୍ଥାନୀୟ ସରପଞ୍ଚ, ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସାହାଯ୍ୟ ସହଯୋଗ କରିଥାନ୍ତି । ମେଳଣକୁ ଆସୁଥିବା ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ୩ ଦିନ ଧରି ଅହୋରାତ୍ର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ପାଲା, ରାମଲୀଳା, ଗୀତିନାଟ୍ୟ ଓ ସଂକୀର୍ତ୍ତନର ବ୍ୟବସ୍ଥା କରାଯାଇଥାଏ ।
୧୦୮ ଦୋଳ ନେଇ ଆସିଥିବା କର୍ମକର୍ତ୍ତାଙ୍କ ପାଇଁ ମେଳଣ କମିଟି ପକ୍ଷରୁ ତିନି ଦିନ ଧରି ରହିବା ଓ ଖାଇବା ସହିତ ଠାକୁରଙ୍କ ନୀତିକାନ୍ତିର ସମସ୍ତ ବ୍ୟବସ୍ଥା କରାଯାଇଥାଏ । ୩ ଦିନ ମେଳଣ ଯାତ୍ରା ଚାଲିବା ପରେ ଶେଷଦିନ ଭୋର ବ୍ରହ୍ମ ମୁହୂର୍ତ୍ତରେ ୧୦୮ ଦୋଳ ଠାକୁରଙ୍କ ମେଳଣ ଅନୁଷ୍ଠିତ ହୋଇଥାଏ । ସେହି ସମୟରେ ପାଣ୍ଡବ ପାଞ୍ଚ ଭାଇଙ୍କ ସହିତ ଗୋପୀନାଥ ଦେବଙ୍କର ହରିହର ମେଳଣ ହୋଇଥାଏ । ଏହି ସମୟରେ ଘଣ୍ଟଘଣ୍ଟା ହୁଳହୁଳି ଓ ହରିବୋଲରେ ଚତୁର୍ପାଶ୍ବ ପ୍ରକମ୍ପିତ ହୋଇ ଉଠିଥାଏ । କ୍ବିଣ୍ଟାଲ କ୍ବିଣ୍ଟାଲ ଫଗୁର ସ୍ପର୍ଶରେ ରଙ୍ଗୀନ ହୋଇ ଉଠେ ମେଳଣ ପଡିଆ । ଆଧ୍ୟାତ୍ମିକ ପରିବେଶ ଭିତରେ ଭକ୍ତମାନେ ନିଜକୁ ହଜେଇ ଦେଇଥାନ୍ତି । ପାଇକ ପୁଅମାନେ ନିଜର କଳା କୌଶଳରେ ନିଜର ସାହସ ଓ ଦକ୍ଷତା ଦେଖାଇଥାନ୍ତି । ଏହି ଐତିହାସିକ ମେଳଣକୁ ରାଜ୍ୟର ବଡ଼ବଡ଼ ନେତାମାନଙ୍କର ସୁଅ ଛୁଟୁଥିଲେ ମଧ୍ୟ ଏହି ୨୦୦ ବର୍ଷର ପରମ୍ପରାର ଉନ୍ନତୀ ପାଇଁ କେହି କେବେ କର୍ଣ୍ଣପାତ କରିନଥିବା କମିଟିର ସମ୍ପାଦକ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବ୍ରହ୍ମଗିରି