ପୁରୀ: ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରେ ଭକ୍ତମାନେ ପାଳନ କଲେ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା। ଆଜି ମାର୍ଗଶିର କୃଷ୍ଣ ପକ୍ଷ ପଞ୍ଚମୀ ତିଥୀ। ଏହି ପବିତ୍ର ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରେ ଆଜି ଭକ୍ତମାନେ ପାଳନ କରିଛନ୍ତି ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା। ବଡ଼ି ଭୋରୁ ଭକ୍ତମାନେ ପଞ୍ଚତୀର୍ଥରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ଓ ତୀର୍ଥ ସ୍ଥଳୀ ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।
ସେହିପରି ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିରରେ ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା। ମାର୍ଗଶିର କୃଷ୍ଣ ପଞ୍ଚମୀ ତିଥୀରେ ତଥା ବର୍ଷକୁ ଏହି ଗୋଟିଏ ଦିନ ଭକ୍ତମାନଙ୍କୁ ସିଦ୍ଧମହିବୀର ମନ୍ଦିରରେ ପ୍ରଭୁ ହନୁମାନଙ୍କ ପାଦ ସ୍ପର୍ଶ କରିବାର ସୁଯୋଗ ମିଳିଥାଏ। ସେହିପରି ଆଜି ଗୋଟିଏ ଦିନ ପ୍ରଭୁ ହନୁମାନ ବୀର ନାଗାର୍ଜୁନ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିବାରୁ ଏହି ବେଶ ଦର୍ଶନ କରି ଭକ୍ତ ମାନେ ନିଜକୁ ଧନ୍ୟ ମନେ କରିଛନ୍ତି।
ଅଧିକ ପଢନ୍ତୁ- କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି
ସିଦ୍ଧମହାବୀର ମନ୍ଦିରରେ ରାତି ୧୨ ଟା ୧୫ରେ ଦ୍ବାର ଫିଟା ପରେ ମଙ୍ଗଳ ଆଳତୀ, ବାଳଭୋଗ ଧୂପ ସହ ଦ୍ବିପ୍ରହର ଧୂପ ସରିବା ପରେ ପ୍ରଭୁ ସିଦ୍ଧମହାବୀରଙ୍କୁ ନାଗା ବେଶରେ ସଜ୍ଜିତ କରାଯାଇଥିଲା। ଭକ୍ତ ମାନେ ବଡ଼ି ଭୋରରୁ ପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇଛନ୍ତି। ପରମ୍ପରା ଅନୁସାରେ ଏଠାରେ ଆଜି ରସଗୋଲା, ଚୁଡାଘଷା ଓ କ୍ଷୀରି ଭୋଗ କରାଯାଉଥିବା ବେଳେ ଭକ୍ତମାନେ ଏହି ଭୋଗ ସମର୍ପଣ କରି ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଦିନ ତମାମ ସିଦ୍ଧମହାବୀର ମନ୍ଦିର ଅଞ୍ଚଳ ଚଳଚଞ୍ଚଳ ହୋଇଥିବା ବେଳେ ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଳାର ଆୟୋଜନ କରାଯାଇଛି।
ଅନ୍ୟପଟେ କାର୍ତ୍ତିକ ମାସ ଶେଷ ହୋଇଥିଲେ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଭିଡ । ମହାପ୍ରଭୁଙ୍କ ଆଶିଷ ପାଇଁ ସାରା ଦେଶରୁ ଶ୍ରୀକ୍ଷେତ୍ରକୁ ଛୁଟିଆସୁଛନ୍ତି ଭକ୍ତ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ଆଗାମୀ ମାସରେ ପୁରୀ ପରିକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି ।
ଇଟିଭି ଭାରତ, ପୁରୀ