ପୁରୀ: ଗୋପ ଅଞ୍ଚଳରେ ପ୍ରାକୃତିକ ଗ୍ୟାସ ଓ ତୈଳ ସନ୍ଧାନ ମିଳିବା ଘଟଣା । ସନ୍ଧାନ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପୁଣି କାର୍ଯ୍ୟ ଆରମ୍ଭ କଲା ଅଏଲ୍ ଇଣ୍ଡିଆ(Oil India) । ଗୋପ କୁଶୁପୁର ଠାରେ ପୁଣି କାମ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୩ଟି ପୋଖରୀ ଖୋଳା ଆରମ୍ଭ ହୋଇଯାଇଛି । ବୋରିଂ ପରେ ମାଟି ତଳୁ ବାହାରିଥିବା ପଙ୍କକୁ ଏହି ପୋଖରୀରେ ରଖାଯିବ । ପ୍ରାକୃତିକ ଗ୍ୟାସ ଓ ତୈଳ ଆବଶ୍ୟକତା ଅନୁଯାୟୀ ବାହାରିଲେ ଏହା ଉତ୍ତୋଳନ କରାଯିବ ।
ଏପରି ହେବା ଦ୍ବାରା ବିଶ୍ୱମାନ ଚିତ୍ରରେ ଗୋପର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବା ସହ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧି ଘଟିବ । ଏଥି ସହ ଯୁବକ, ଯୁବତୀମାନଙ୍କ କ୍ଷେତ୍ରରେ ଆତ୍ମନିଯୁକ୍ତି ସୃଷ୍ଟି ହେବ । ଗୋପର ମହଲପଡ଼ା ପଞ୍ଚାୟତ ସମେତ କିଛି ପାଖ ଗାଁ ଗୁଡିକରେ ପ୍ରାକୃତିକ ଗ୍ୟାସ୍ ଓ ତେଲ ପାଇଁ ସର୍ଭେ ହୋଇଥଲା । ଚାଷୀଙ୍କୁ କ୍ଷତି ପୂରଣ ଦିଆଯାଇ ଜମି ଅଧିଗ୍ରହଣ ପରେ ପୁଣି ଏହି କାର୍ଯ୍ୟ ଆରମ୍ଭ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ଶ୍ରୀକ୍ଷେତ୍ର ଆକାଶରେ ବାୟୁବୀରଙ୍କ ଜଲୱା, ପରାକ୍ରମ ଦେଖାଇଲେ ସୂର୍ଯ୍ୟକିରଣ
ଗୋପର କୁଶୁପୁରରେ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲ ସନ୍ଧାନ ମିଳିବା ପରେ ଗତ ଅଗଷ୍ଟ ମାସରେ ଅଏଲ ଇଣ୍ଡିଆ (Oil India) ପକ୍ଷରୁ ଚାଷୀଙ୍କୁ ଚେକ୍ ବଣ୍ଟନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ୟାସ ଓ ତୈଳ ସନ୍ଧାନ ନେଇ ଡ୍ରିଲିଂ ଆରମ୍ଭ ହେବାକୁ ନେଇ ଏହି ଚେକ ଦିଆଯାଇଥିଲା ।
ଡ୍ରିଲିଂ ପାଇଁ 8 ଏକର ଜମି ଆବଶ୍ୟକ ଥିବା ବେଳେ 37 ଜଣ ଚାଷୀଙ୍କ ଜମିକୁ 3 ବର୍ଷ ପାଇଁ ଲିଜ ନିଆଯାଇଛି । 3 ବର୍ଷ ଭିତରେ ଉକ୍ତ ସ୍ଥାନରେ ଡ୍ରିଲିଂ କରାଯାଇ ପ୍ରାକୃତିକ ଗ୍ୟାସ ଓ ତେଲର ସନ୍ଧାନ କରାଯିବ । ବ୍ୟବସାୟିକ ଦୃଷ୍ଟି କୋଣରୁ ତେଲ ଓ ଗ୍ୟାସ ଉତ୍ତୋଳନ ଯଦି ଲାଭଜନକ ହୁଏ ପରବର୍ତ୍ତୀ ସମୟରେ ଚାଷୀଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯାଇ ଜମି ଅଧିଗ୍ରହଣ ହେବ ।
ଅଏଲ ଇଣ୍ଡିଆ ପକ୍ଷରୁ ସେସମିକ ସର୍ଭେ କରାଯାଇ ତୈଳ ଓ ଗ୍ୟାସର ସନ୍ଧାନ କରଯାଇଛି । ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜର ଓ 10 ଜଣିଆ ଟିମି ପହଞ୍ଚି ଗୋପରେ 37 ହିତାଧିକାରୀଙ୍କ ସହିତ 3 ବର୍ଷିଆ ଏଗ୍ରିମେଣ୍ଟେ କରିଛନ୍ତି । ଗୋପ କୁଶୁପୁର, ବଣିଆସାହି, ବସ୍ତି ଅଞ୍ଚଳର ପ୍ରାୟ 37 ଜଣ ଚାଷୀଙ୍କ 8 ଏକର ଜମିକୁ 3 ବର୍ଷ ପାଇଁ ଅଏଲ ଇଣ୍ଡିଆ କମ୍ପାନୀ ଲିଜରେ ନେଇଛନ୍ତି । ପ୍ରତ୍ୟେକ ଚାଷୀଙ୍କୁ ଗୁଣ୍ଠ ପିଛା 17 ହଜାର ହିସାବରେ 3ବର୍ଷ ପାଇଁ ଟଙ୍କା ଦିଆଯାଇଛି ।