ପୁରୀ: ପୁରୀ ପାଇଁ ଗର୍ବ ପାଲଟିଛନ୍ତି ପୁରୀର ପୁଅ ସଂଗ୍ରାମ । ବଲିଉଡରେ ପାଦ ଥାପିଛନ୍ତି ପୁରୀର ଡ୍ୟାନ୍ସର ତଥା କୋରିଓଗ୍ରାଫର ସଂଗ୍ରାମ କେଶରୀ ବାରିକ । ପିଲାଦିନରୁ ନୃତ୍ୟରେ କ୍ୟାରିଅର ଗଢିବାକୁ ଚାହୁଁଥିବା ସଂଗ୍ରାମଙ୍କ ସ୍ବପ୍ନ ଆଜି ସାକାର ହୋଇଛି । ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ପ୍ରିନ୍ସଙ୍କ ସହ କାମ କରିବାର ସୁଯୋଗ ପାଇବା ସହ ନିଜର ନୃତ୍ୟ ଜଲୱାରେ ଅନେକ ଫ୍ୟାନ୍ସଙ୍କୁ ଦିୱାନା ବନାଇଛନ୍ତି ସଂଗ୍ରାମ ।
ପୁରୀ ବାଘଆଖେଡା ଲେନର ବାସିନ୍ଦା ସଂଗ୍ରାମ କେଶରୀ ବାରିକ । ଆଶା ରଖିଥିଲେ ଡ୍ୟାନ୍ସକୁ ନେଇ କ୍ୟାରିଅର ଗଢ଼ିବେ । ବଲିଉଡରେ ଜଣେ ସଫଳ କୋରିଓଗ୍ରାଫର ହେବା ତାଙ୍କ ସ୍ବପ୍ନ ଥିଲା । ତେବେ ସଂଗ୍ରାମଙ୍କର କଠିନ ପରିଶ୍ରମ ଏବେ ତାଙ୍କୁ ସ୍ୱପ୍ନ ପୂରଣ ଦିଗରେ ଆଗେଇ ନେଉଛି । ସଂଗ୍ରାମଙ୍କ ଭାଗ୍ୟରେ ବଲିଉଡ ପ୍ରବେଶ ନେଇ ସୁଯୋଗ ସୃଷ୍ଟି ହୋଇଛି । ବଲିଉଡର ଜଣାଶୁଣା ପ୍ରଡକ୍ସନ ସଂସ୍ଥା ପ୍ରିନ୍ସ ଗୁପ୍ତା ଫିଲ୍ମ ପ୍ରଯୋଜନାରେ ହୋଇଥିବା "ମେରା ଯୁତା ହେ ଭରସାକେ" ସଙ୍ଗୀତରେ ସଂଗ୍ରାମ ବେଶ ଉଚ୍ଚକୋଟିର ନୃତ୍ୟ ପରିବେଷଣ କରିଛନ୍ତି । ଏଥିରେ ମୁଖ୍ୟ ଚରିତ୍ର ଭାବରେ ବଲିଉଡର ଟପ୍ କୋରିଓଗ୍ରାଫର ପ୍ରିନ୍ସ ଗୁପ୍ତା ଅଭିନୟ କରିଥିବା ବେଳେ ତାଙ୍କ ସହ ଡ୍ୟାନ୍ସରେ ତାଳ ଦେଇଛନ୍ତି ସଂଗ୍ରାମ । ସାରେଗାମାପା ମ୍ୟୁଜିକ ଚ୍ୟାନେଲରେ ଅପଲୋଡ଼ ହୋଇଥିବା ଏହି ଭିଡିଓଟିକୁ ଲକ୍ଷାଧିକ ଲୋକ ଦେଖିଲେଣି । ଓଡ଼ିଆ ପୁଅର ଡାନ୍ସ ଜଲୱା ଦେଖି ସଭିଏଁ ତାଙ୍କୁ ଭୁରିଭୁରି ପ୍ରଂଶସା କରିଛନ୍ତି । ସେପଟେ ପୁଅର ବଲିଉଡ ପ୍ରବେଶର ସଫଳତା ଦେଖି ବେଶ ଖୁସି ହେଇଯାଇଛନ୍ତି ସଂଗ୍ରାମଙ୍କ ବାପା ଓ ମା । ପୁଅର ସଫଳତା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ସହ ଦର୍ଶକଙ୍କ ଆଶୀର୍ବାଦ ଲୋଡିଛନ୍ତି ।
ପିଲାଟି ଦିନରୁ ନୃତ୍ୟ ପ୍ରତି ସଂଗ୍ରାମଙ୍କ ଥିଲା ଅହେତୁକ ଦୁର୍ବଳତା । ହେଲେ ପରିବାରର ଗୋଟିଏ ପୁଅ ହୋଇଥିବାରୁ କ୍ୟାରିଅର ରାସ୍ତାରେ ଅନେକ ବାଧା ଦେଖାଦେଇଥିଲା । ପୁରୀରେ ସଂଗ୍ରାମ ଏକ ଡାନ୍ସ ସ୍କୁଲ୍ ଖୋଲି ପରିବାର ପ୍ରତିପୋଷଣ କରିବା ଭିତରେ ନିଜକୁ ଏକ ସଫଳ କୋରିଓଗ୍ରାଫର କରିବା ପାଇଁ ସ୍ବପ୍ନ ଦେଖୁଥିଲେ । ଓଡ଼ିଶାରେ କିଛି ରିଆଲିଟି ସୋ', ଷ୍ଟେଜ୍ ସୋ'ରେ ସଂଗ୍ରାମ କୋରିଓଗ୍ରାଫି ସହ ଓଲିଉଡରେ କିଛି ଆଗଧାଡ଼ିର ନାୟକମାନଙ୍କୁ କୋରିଓଗ୍ରାଫିରେ ସହାୟତା କରିଥିଲେ । ହେଲେ ବଲିଉଡରେ ଏଣ୍ଟ୍ରି ନେଇ ସବୁବେଳେ ସ୍ବପ୍ନ ଦେଖୁଥିଲେ । ଶେଷରେ ୨୦୧୯ ରେ ସବୁକିଛି ଅସୁବିଧାକୁ ପଛରେ ପକାଇ ସଂଗ୍ରାମ ପହଞ୍ଚିଥିଲେ ମୁମ୍ବାଇରେ । ବାସ୍ ସେଇଠୁ ଆଉ ପଛକୁ ଚାହିଁନଥିଲେ ସଂଗ୍ରାମ । ଦୀର୍ଘ ୪ ବର୍ଷର ସଂଘର୍ଷ ପରେ ସେ ସଫଳତାର ସ୍ବାଦ ଚାଖିଛନ୍ତି । କଠିନ ପରିଶ୍ରମ ପାଇଁ ଆଜି ବଲିଉଡରେ ଏଣ୍ଟ୍ରି ପାଇଁ ଟିକେଟ ପାଇଛନ୍ତି । ଶ୍ରୀକ୍ଷେତ୍ରରୁ ବଲିଉଡ ଯାତ୍ରା ସଂଗ୍ରାମଙ୍କ ପାଇଁ କଷ୍ଟ ଥିଲା ନିଶ୍ଚୟ । କିନ୍ତୁ ଡାନ୍ସର ହେବାର ସ୍ବପ୍ନ ତାଙ୍କର ପୂର୍ଣ୍ଣ ହୋଇଛି । ସଂଗ୍ରାମଙ୍କ ସଂଘର୍ଷ ଓ ନିଷ୍ଠାକୁ ସମସ୍ତେ ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, ପୁରୀ