ପୁରୀ: ବିଭିନ୍ନ କଳା କୃତି ନିର୍ମାଣକୁ ନେଇ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହେଉଛନ୍ତି ଅନେକ ଯୁବକ ଯୁବତୀ । ତେବେ ପୁରୀର ଜଣେ ଯୁବକ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ଏବେ ଚର୍ଚ୍ଚାରେ । ପୁରୀ ସିଦ୍ଧମହାବୀରର କୁମୁଟିପାଟଣା ଅଞ୍ଚଳର ବାସିନ୍ଦା ବଳରାମ ନାୟକ ଓ ଗୀତାଞ୍ଜଳି ନାୟକଙ୍କ ପୁଅ ହେଉଛନ୍ତି ବିଶ୍ଵଜିତ ନାୟକ । 2575 ଟି ଆଇସକ୍ରିମ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ କରି ସେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇଛନ୍ତି ।
ତାଙ୍କର ନିଆରା କଳାକୃତି ପାଇଁ ସେ ଏହି ସମ୍ମାନିତ ହୋଇଛନ୍ତି । ଆଇସକ୍ରିମ କାଠିରେ 27 ଇଞ୍ଚ ଉଚ୍ଚତା ଓ 24 ଇଞ୍ଚ ଲମ୍ବର କୁନି ରଥ ନିର୍ମାଣକୁ ନେଇ ସେ ଏହି ରେକର୍ଡ କରିଛନ୍ତି । ଏଥିପାଇଁ ତାଙ୍କୁ 10 ଦିନ ଲାଗିଥିଲା । ଚଳିତ ବର୍ଷ ଲକଡାଉନ ଓ କୋଭିଡ କଟକଣା ହେତୁ ସେ ରଥଯାତ୍ରା ଦେଖି ନ ପାରିବା ସ୍ମୃତିରେ ଏହି କୁନି ରଥ ନିର୍ମାଣ କରିଥିଲେ । ପରେ ସେ ଏହି ନିଆରା ରଥ ନିର୍ମାଣ କଳାକୃତି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ଦେବା ପାଇଁ ଆବେଦନ କରିଥିଲେ । ତାଙ୍କ ଆବେଦନକୁ ପରଖିବା ପରେ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ତାଙ୍କୁ ସାର୍ଟିଫିକେଟ ଓ ମେଡାଲ ପ୍ରଦାନ କରାଯାଇଛି ।
ସେ ଏହି କୃତିତ୍ବ ପାଇ ବେଶ ଖୁସି ଥିବା ବେଳେ ଏହି ସମ୍ମାନ ଅଗାମୀ ଦିନରେ ତାଙ୍କୁ ଆହୁରି ନିଆରା କଳାକୃତି କରିବା ପାଇଁ ପ୍ରେରଣା ଦେବ ବୋଲି ବିଶ୍ଵଜିତ ନାୟକ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ