ପୁରୀ: ଧିରେ ଧିରେ ଅପରାଧର ଗଡ ପାଲଟିବାରେ ଲାଗିଛି ଅସ୍ତରଙ୍ଗ । କିଛି ଦିନ ତଳେ ରାଇବେରୁହାରେ ଘଟିଥିବା କଟାମୁଣ୍ଡ କଥା ଲୋକଙ୍କ ମନରୁ ନଲିଭୁଣୁ ଶନିବାର ରାତିରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ । ଅସ୍ତରଙ୍ଗ ଥାନା ଆଳସାହି ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଦିଲିପ କୁମାର ସ୍ବାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ ଅସ୍ତରଙ୍ଗ ଝାଡଲିଙ୍ଗ ଗ୍ରାମରେ କିଛି ପୂର୍ବ ସମସ୍ୟାର ସମାଧାନ କରିବା ପାଇଁ ବାପାଙ୍କ ସହ ପହଞ୍ଚିଥିଲେ ଦିଲିପ । ହେଲେ କୌଣସି କାରଣରୁ ସେଠାରେ ବଚସା ସୃଷ୍ଟି ହେବାରୁ ପ୍ରଥମେ ଦିଲିପଙ୍କୁ ଛୁରୀ ଭୁସିଥିଲେ ଦୁର୍ବୃତ୍ତ । ପରେ ଦିଲିପ ଆସିଥିବା କାର୍ରେ ତାଙ୍କୁ ଚାପି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଦିଲିପଙ୍କ ବାପା ସାଧୁ ଚରଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ତେବେ ଦିନକୁ ଦିନକ ଅସ୍ତରଙ୍ଗରେ ଅପରାଧର ମାତ୍ରା ବଢିବାରେ ଲାଗିଥିବା ବେଳେ ଲୋକଙ୍କ ମନରେ ସୃଷ୍ଟି ହୋଇଛି କୋକୁଆ ଭୟ । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ