ପୁରୀ: ଆଜି ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ । ଏହି ଅବସରରେ ରାଧାକୃଷ୍ଣଙ୍କ ନିକଟରେ ଲାଗି ହୋଇଛି ୮୨୧ ପ୍ରକାର ବ୍ୟଞ୍ଜନ । ପୁରୀ ବଳିଆପଣ୍ତା ସ୍ଥିତ ଗୌରବିହାର ମାତାମଠରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ସୁସ୍ୱାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ ତିଥିରେ ଶ୍ରୀରାଧାକୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ମାତାମଠରେ ଦିନ ତମାମ ଲାଗିଥିଲା ଗହଳି ।
ଦୀର୍ଘବର୍ଷ ଧରି ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଇ ଆସୁଛି । ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି । ବିଶେଷ କରି ଗୌଡ଼ୀୟ ବୈଷ୍ଣବଙ୍କ ଦ୍ୱାରା ପ୍ରତିବର୍ଷ ଏହି ଦିନରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଥାଏ । ଦ୍ୱାପର ଯୁଗରେ ମା ଯଶୋଦା ସ୍ନେହ, ଶ୍ରଦ୍ଧାର ସହ ଏହି ଦିନରେ ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ବୈଷ୍ଣବ ଗୌଡ଼ୀୟ ମାନେ ।
ଏହା ବି ପଢନ୍ତୁ- ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ ଭାଇରାଲ ପ୍ରସଙ୍ଗ, ସିଂହଦ୍ୱାର ଥାନାରେ ମାମଲା
ଏହି ପର୍ବର ଯଥେଷ୍ଟ ପୂର୍ବରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ଆରମ୍ଭ ହୁଏ ପ୍ରକ୍ରିୟା । ଗଞ୍ଜାମ, ଗଜପତି, ପୁରୀ ତଥା ପଶ୍ଚିମବଙ୍ଗର ବହୁ ଶ୍ରଦ୍ଧାଳୁ ପ୍ରଭୁ ରାଧାକୃଷ୍ଣଙ୍କୁ ସ୍ମରଣ କରି ବହୁ ଶ୍ରମ କରି ବହୁବିଧି ବ୍ୟଞ୍ଜନ ପ୍ରସ୍ତୁତ କରିବା ସହ ଶ୍ରକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥାନ୍ତି । ଏହାପରେ ସ୍ୱତନ୍ତ୍ର ପତ୍ରରେ ସମ୍ମିଳିତ ଭାବେ ସମସ୍ତେ ପ୍ରସାଦ ସେବନ କରିଥାନ୍ତି । ଚଳିତ ବର୍ଷ ପ୍ରସ୍ତୁତ ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟରେ ରହିଥିଲା ସାଧା, ମିଠା କାନିକା, ଖେଚେଡ଼ି ଓ ଘିଅ ଅନ୍ନ ପରି ୧୭ ପ୍ରକାର ଅନ୍ନ, ୧୮ ପ୍ରକାର ଖିରି, ୫୧ ପ୍ରକାର ତରକାରୀ, ୧୬୧ ପ୍ରକାର ଚଟଣି । ଗତକାଲି ସକାଳୁ ପରିବା ସବୁ ଅମୁଣିଆ ହେବା ପରେ ଆରମ୍ଭ ହୋଇଥିଲା ବ୍ୟଞ୍ଜନ ପ୍ରସ୍ତୁତି ।
ଏନେଇ ଗୌରବିହାର ଆଶ୍ରମ ମୁଖ୍ୟ ମହନ୍ତ ସୁବଳ ଚରଣ ଦାଶ କହିଛନ୍ତି, " ଦ୍ବାପର ଯୁଗରେ ମା' ଯଶୋଦା ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ ପୁତ୍ର ତଥା ଭଗବାନ ଶ୍ରୀକୃଷ୍ଣଙ୍କୁ ପରଷିଥାନ୍ତି । ଏହି ପରମ୍ପରାକୁ ବଜାୟ ରଖିବା ଲାଗି ଆମେ ପ୍ରତିବର୍ଷ ମାତାମଠରେ ବ୍ୟଞ୍ଜନ ଦିବସ ପାଳନ କରିଥାଉ । ବ୍ୟଞ୍ଜନ ପ୍ରସ୍ତୁତ ବେଳେ ସେପରି କୌଣସି ସଂଖ୍ୟାକୁ ଧ୍ୟାନରେ ରଖାଯାଇନଥାଏ । ଭକ୍ତମାନେ ଶ୍ରଦ୍ଧାର ସହିତ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ଚଳିତ ବର୍ଷ ୮୦୦ରୁ ଊର୍ଦ୍ଧ୍ବ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି । "
ଉଭୟ ମହିଳା ଓ ପୁରୁଷ ଭକ୍ତମାନେ ପରିବା କଟାକଟି ଓ ରୋଷେଇ କାର୍ଯ୍ୟରେ ଲାଗିଥିଲେ । ରୋଷେଇ ପାଇଁ ବ୍ୟବହୃତ ହୋଇଥିଲା ୨୦ଟି ଚୁଲି । ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା । ପ୍ରତି ବର୍ଷ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବା ବେଳେ ଚଳିତବର୍ଷ ୮୨୧ ପ୍ରକାର ରେକର୍ଡ଼ ସଂଖ୍ୟକ ବ୍ୟଞ୍ଜନ ମାତା ମଠରେ ପ୍ରସ୍ତୁତ ହୋଇଥିଲା ।
ଇଟିଭି ଭାରତ, ପୁରୀ