କୋଣାର୍କ: ଦୀର୍ଘ ମାସର ବ୍ୟବଧାନ ପରେ ପୁଣି କୋଣାର୍କରେ ଦେଖିବାକୁ ମିଳିଛି ଲାଇଟ ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ । କୋରୋନା କଟକଣା କାରଣରୁ ଦୀର୍ଘ ୯ ମାସ ଧରି ଏହା ବନ୍ଦ ରହିଥିଲା । ଏବେ କଟକଣା କୋହଳ ହେବା ପରେ ବୁଧବାର ସଂଧ୍ୟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହୋଇଛି । ମନ୍ଦିରର ପ୍ରସ୍ତର କାନ୍ଥରେ ୮ଟି ଅତ୍ୟାଧୁନିକ 3ଡି ପ୍ରୋଜେକ୍ଟର ମାଧ୍ୟମରେ କୋଣାର୍କ ମନ୍ଦିରର ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜି ଭରା କାହାଣୀକୁ ଦେଖିବାର ସୁଯୋଗ ପାଉଛନ୍ତି ପର୍ଯ୍ୟଟକ ।
ଥ୍ରୀଡି ଆନିମେସନରେ ଓଡିଆ, ହିନ୍ଦୀ ଓ ଇଂରାଜୀ 3ଟି ଭାଷାରେ ଏହାକୁ ପ୍ରଦର୍ଶିତ କରାଯାଉଛି । କୋରୋନା ନିୟମକୁ ପାଳନ କରାଯିବା ସହିତ ସାମାଜିକ ଦୂରତା ରକ୍ଷା କରି କିପରି ଏହାର ମଜା ନିଆଯାଇ ପାରିବ ତାହା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ପ୍ରାଥମିକତା ଭିତ୍ତିରେ ପ୍ରଥମ କରି କେବଳ ୨୦୦ ଦର୍ଶକଙ୍କ ପାଇଁ ମନ୍ଦିର ପରିସରକୁ ପ୍ରବେଶ ଅନୁମତି ରହିଛି । ଅଫଲାଇନରେ ଟିକେଟର ମୂଲ୍ୟ ୫୦ ଟଙ୍କା ଧାର୍ଯ୍ୟ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ